କଳାହାଣ୍ଡି : ସୁଧୁରୁନି ମଣ୍ଡି ସମସ୍ୟା । କଟନି ଛଟନି ସହ ମିଲର୍ସଙ୍କ ମନମାନିରେ ପେଷି ହେଉଛନ୍ତି ଚାଷୀ । କଳାହାଣ୍ଡିରେ ଧାନ କିଣା ମନ୍ଥର ଗତିରେ ଚାଲିଥିବା ବେଳେ ଏବେ ଅଖା ବସ୍ତା ସଙ୍କଟ ମୁଣ୍ଡ ଟେକିଛି । ଛିଣ୍ଡା, ଫଟା ଅଖା ଯୋଗାଇ ବସିପଡୁଛନ୍ତି ମିଲର୍ସ । ଫଳରେ ବଜାରରୁ ଅଖା ବସ୍ତା କିଣି ଶୋଷଣର ଶିକାର ହେଉଛନ୍ତି ଚାଷୀ । ସବୁଜାଣି ନିରବ ଯୋଗାଣ ବିଭାଗ । ଜିଲ୍ଲାରେ ନଭେମ୍ବର ୨୯ ତାରିଖରୁ ଧାନ କିଣା ଆରମ୍ଭ ହେଲାଣି । ହେଲେ ଏବେବି ମଣ୍ଡି ସୁରୁଖୁରରେ ଚାଲିପାରୁନାହିଁ । କେଉଁଠି ମଣ୍ଡିରୁ ଧାନ ଉଠୁନି ତ ଆଉ କେଉଁଠି ଧାନ ରଖିବା ପାଇଁ ସଠିକ ବ୍ୟବସ୍ଥା ନାହିଁ । ଶୀତକାକରରେ ରାତି ଉଜାଗର ହୋଇ ଧାନ ବସ୍ତା ଜଗିରହୁଛନ୍ତି ଅନ୍ନଦାତା ।
ଚାଷୀଙ୍କୁ ଅଖା ବସ୍ତା ମିଲର୍ସ ଯୋଗାଇ ଦେବା କଥା । ହେଲେ ଭବାନୀପାଟଣା ସଦର ମହକୁମା ଠାରୁ ୧୦ କିଲୋମିଟର ଦୂରରେ ଥିବା ଦାଦପୁର ମଣ୍ଡିକୁ ଯୋଗାଣ ହେଉଥିବା ବସ୍ତାକୁ ଦେଖନ୍ତୁ । ସବୁ ଚିରା ଫଟା । ଗୋଟିଏ ବଣ୍ଡଲରେ ୫୦ଟି ଅଖା ବସ୍ତା ରହୁଥିବା ବେଳେ ୩୦ଟି ବ୍ୟବହାରଯୋଗ୍ୟ ନୁହେଁ । ଯାହାକୁ ମଣ୍ଡିରେ ଥିବା ଗୋଦାମ ଗୃହ ମଧ୍ୟରେ ଫିଙ୍ଗି ଦିଆଯାଇଛି । ଚାଷୀ ବଜାରରୁ ବସ୍ତା ପିଛା ୨୦ ଟଙ୍କା ଦେଇ ଅଖା କିଣି ମଣ୍ଡିକୁ ଧାନ ନେଉଛନ୍ତି । ହେଲେ ସଂପୃକ୍ତ ମିଲର୍ସ ଚାଷୀଙ୍କ ବସ୍ତା ଫେରସ୍ତ କରୁନାହାନ୍ତି । ଯେଉଁଥିରୁ ସ୍ପଷ୍ଟ ବାରିହୋଇପଡୁଛି ଯେ ବସ୍ତା ନାଁରେ ଚାଷୀଙ୍କ ଠାରୁ କିଭଳି ଶୋଷଣ କରାଯାଉଛି । ଅନ୍ୟପଟେ ମିଲର୍ସ ଚାଷୀ କିମ୍ବା ଅଧିକାରୀଙ୍କ କଥା ଶୁଣୁନଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ଜିଲ୍ଲାର ସମସ୍ତ ୨୩୦ଟି ଧାନ ମଣ୍ଡିମାନଙ୍କରେ ଅଖା ବସ୍ତା ସଙ୍କଟ ଦେଖାଦେଇଛି ।

