ଡାକ୍ତର ବନିବେ ଆଦିବାସୀ ଝିଅ, କରିବେ ରୋଗୀ ସେବା

କଳାହାଣ୍ଡି : ଡାକ୍ତର ବନିବେ ଆଦିବାସୀ ଝିଅ । କରିବେ ରୋଗୀ ସେବା । ଆର୍ଥିକ ଅନଟନ ଭିତରେ ଛୁଇଁଲେ ସଫଳତା । ଅଞ୍ଚଳ ପାଇଁ ସୃଷ୍ଟି କଲେ ଉଦାହରଣ । ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼କର୍ଲାକୋଟ ପଞ୍ଚାୟତ ନୂଆପଡାର ଆଦିବାସୀ ଝିଅ ବିଦୁ ନାଏକ । ସେ ନିଜର ଉଦ୍ୟମ, ସାହାସ ବଳରେ ଛୁଇଁଛନ୍ତି ସଫଳତା । ଗୋଟିଏ ପ୍ରୟାସରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନିଟରେ ଉତୀର୍ଣ୍ଣ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସେ ବ୍ରହ୍ମପୁର ମେଡ଼ିକାଲ କଲେଜରେ ନାମ ଲେଖାଇ ଡାକ୍ତରୀ ପଢୁଛନ୍ତି । ତାଙ୍କର ଏହି ସଫଳତାର କାହାଣୀ ଯେତିକି ରୋଚକ ସେତିକି ଲୁହ ଭରା ।
ନୂଆପଡାରେ ରହୁଥିବା ବିଦୁଙ୍କ ପରିବାର କହିଲେ ତାଙ୍କ ବାପା, ମା ଓ ତାଙ୍କ ଛୋଟ ଭଉଣୀ । ଅତି ଗରିବ ପରିବାରରେ ଜନ୍ମ ହୋଇଥିବା ବିଦୁ ବହୁ କଷ୍ଟମଷ୍ଟେ ଗାଁ ସ୍କୁଲରେ ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲେ । ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ ତାଙ୍କର ପାଠ ପଢା ବନ୍ଦ ହୋଇଯାଇଥିଲା । ବିଦୁଙ୍କ ବଡ ମାଆଙ୍କ ପୁଅ ଲାବଣ୍ୟ ପୁଝାରୀ ୨୦୨୨ରେ ବିଦୁଙ୍କ ଉଚ୍ଚ ଶିକ୍ଷା ପାଇଁ ସହଯୋଗ କରିଥିଲେ । ଲାଞ୍ଜିଗଡ ସ୍ଥିତ ହାଇଅର ସେକେଣ୍ଡାରୀ ସ୍କୁଲରେ ସେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିଥିଲେ । ପରେ ସେ ଭୁବନେଶ୍ୱର ଏକ କୋଚିଙ୍ଗ ସେଣ୍ଟରରେ ପଢି ଚଳିତ ବର୍ଷ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ସଫଳତାରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।