spot_img

Latest Posts

ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କ ପ୍ରଥମ ପସନ୍ଦ ସାଜିଛି କଳିଙ୍ଗ ଷ୍ଟାଡ଼ିୟମ…

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମର ସଟଲ୍ ସବୁଠାରୁ ଉନ୍ନତ ଓ ଆକର୍ଷଣୀୟ। ଭିତ୍ତିଭୂମି ବିଶ୍ବସ୍ତରୀୟ ଓ ସୁବିଧା ସୁଯୋଗ ଅନ୍ତର୍ଜାତୀୟ ମାନର। ଖେଳାଳୀଙ୍କ ପ୍ରତି ଓଡ଼ିଶାର ଆଦର ବି ଅତୁଳନୀୟ। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଛି ୩୭ତମ ସବ-ଜୁନିଅର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍। ଯୋଗ ଦେଇଛନ୍ତି ଦେଶର ଟପ୍ ଅଣ୍ଡର-୧୫ ଓ ଅଣ୍ଡର-୧୭ ବ୍ୟାଡ଼ମିଣ୍ଟନ ଖେଳାଳି। ଡାଲମିଆ ଭାରତ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ସଟଲ୍କୁ ଭୂରି ଭୂରି ପ୍ରଶସା କରିଛନ୍ତି ଖେଳାଳି ଓ କୋଚ୍। ତୃତୀୟ ଦିନରେ ପ୍ରିଲିମିନାରୀ ରାଉଣ୍ଡ ସରିବା ପରେ ଆରମ୍ଭ ହୋଇଛି ପ୍ରି-କ୍ବାର୍ଟର ରାଉଣ୍ଡ।

ଦେଶର ଟପ୍ ୮୦୦ ଖେଳାଳି ଚାମ୍ପିୟନସିପରେ ଭାଗ ନେଇଛନ୍ତି। ସଟଲର ତୃତୀୟ ମହଲାରେ ଏକାବେଳେ ୮ଟି ବ୍ୟାଡ଼ମିଣ୍ଟନ କୋର୍ଟରେ ଚାଲିଛି ପ୍ରତିଯୋଗିତା। ୭୭ହଜାର ବର୍ଗଫୁଟରେ ବ୍ୟାଡ଼ମିଣ୍ଟନ କର୍କ ଡ଼ିଜାଇନରେ ନିର୍ମିତ ସଟଲ୍ ସାରା ଦେଶରେ ସର୍ବୋତ୍କୃଷ୍ଟ। ଗୋପିଚାନ୍ଦ ପୁଲେଲା ଏକାଡ଼େମୀ ଦ୍ବାରା ଏହି ହାଇ ପରଫର୍ମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ସବ ଜୁନିଅର ଜାତୀୟ ଚମ୍ପିୟନସିପରେ ଭାଗ ନେବାକୁ ଆସିଥିବା ଖେଳାଳି ଓ କୋଚମାନେ ଏଠାରେ ମିଳୁଥିବା ସୁବିଧାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଓଡ଼ିଆ ଝିଅ ନିମିଷା ଓଝା ଦିଲ୍ଲୀ ଟିମ୍କୁ ହରାଇ ପ୍ରି-କ୍ବାର୍ଟରରେ ପ୍ରବେଶ କରିଛନ୍ତି। ସିଙ୍ଗଲସ୍ ଓ ଡ଼ବଲସ୍ ବର୍ଗରେ ଚାଲିଛି ପ୍ରତିଯୋଗିତା। ଷ୍ଟାଡ଼ିୟମ ପରିସରରେ ଗୋଟିଏ ଜାଗାରେ ସ୍ବିମିଂ ପୁଲ୍, ଜିମ୍, ଟ୍ରେନିଂ ସେଣ୍ଟର, ଆମ୍ପିଥିଏଟର ଭଳି ସୁବିଧା ଥିବାରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ପ୍ରଥମ ପସନ୍ଦ ସାଜିଛି କଳିଙ୍ଗ ଷ୍ଟାଡ଼ିୟମ। ୨୦୧୭ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ସଟଲକୁ ୨୦୨୪ ଡ଼ିସେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକାର୍ପଣ କରିଥିଲେ।

Latest Posts

Don't Miss