ଝାଞ୍ଜେରୀବେରେଣୀ ଗାଁକୁ ନାହିଁ ନିତିଦିନିଆ ରାସ୍ତା, ଖାଲଖମା ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କେରଜୁଳି ପଞ୍ଚାୟତର ଝାଞ୍ଜେରିବେରେଣୀ ଗାଁକୁ ନାହିଁ ନିତିଦିନିଆ ରାସ୍ତା  । ସଦର ମହକୁମାର ମାତ୍ର ୭ କିଲୋମିଟର ଦୂର ଝାଞ୍ଜେରୀବେରେଣୀ ଗାଁ ରହିଛି । ରାସ୍ତା ନଥିବାରୁ ଲୋକେ ୧୫ କିଲୋମିଟର ଦୂର ଅତିକ୍ରମ କରି କଙ୍କଡାହାଡ଼ରେ ପହଞ୍ଚୁଛନ୍ତି । ଗାଁରେ ୪ ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ସ୍ଥାୟୀ ରାସ୍ତା ନଥିବାରୁ ଜଙ୍ଗଲ, ପାହାଡ଼ ଘେରା ରାସ୍ତାରେ ଯାତାୟାତ କରୁଛନ୍ତି । ଯେଉଁ ରାସ୍ତା ଦେଇ ଗ୍ରାମବାସୀ ଯିବାଆସିବା କରୁଛନ୍ତି ତାହା ଖାଲ ଖମାରେ ବିପଦପୂର୍ଣ୍ଣ ହୋଇଛି । ଗାଁରେ କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ପହଞ୍ଚିବା ମଧ୍ୟ ବହୁତ କଷ୍ଟକର ହୋଇପଡ଼େ । ଏପରିକି ଅଗ୍ନିକାଣ୍ଡ ଘଟିଲେ ମଧ୍ୟ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିବା ଅସମ୍ଭବ ହୋଇପଡ଼େ  । ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି  । ପ୍ରଶାସନ ତରଫରୁ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦିଆଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିଲା ନାହିଁ । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ସେମାନେ କିପରି ଯିବାଆସିବା କରିବେ ସେ ନେଇ ଚିନ୍ତାରେ ଗ୍ରାମବାସୀ ।ତୁରନ୍ତ ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ କରିବାପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି  ।