ଖଲିସ୍ତାନୀ ସମର୍ଥକ ଅମୃତପାଲଙ୍କୁ କଙ୍ଗନାଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ବିବାଦରେ ‘ଓ୍ବାରିସ ପଞ୍ଜାବ ଦେ’ ମୁଖ୍ୟ ତଥା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ । ଅମୃତସର ଅଜନାଲ ଥାନା ଆକ୍ରମଣ ପରେ ଅମୃତପାଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ବଲିଉଡ ଷ୍ଟାର୍ କଙ୍ଗନା ରାଣାଓ୍ବତ ଖାଲିସ୍ତାନୀ ପ୍ରସଙ୍ଗରେ ତର୍କ କରିବାକୁ ଅମୃତପାଲଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଅମୃତପାଲଙ୍କୁ କଟାକ୍ଷ କରିବା ସହ କଙ୍ଗନା କହିଛନ୍ତି, ‘ଯଦି ଖଲିସ୍ତାନୀ ମୋତେ ଗୁଳି ମାରିବେନି, ତେବେ ଏହି ପ୍ରସଙ୍ଗରେ ତର୍କ କରିବାକୁ ମୁଁ ପ୍ରସ୍ତୁତ ।’

କଙ୍ଗନା ଟୁଇଟ କରି ଲେଖିଛନ୍ତି, ‘ମହାଭାରତରେ ପାଣ୍ଡବ ରାଜସୁୟା ଯଜ୍ଞ କରିଥିଲେ । ଅର୍ଜୁନ ନିଜେ ଚୀନ ପର୍ଯ୍ୟନ୍ତ ଯାଇ ସବୁ ରାଜାଙ୍କ ପାଖରୁ କର ଆଦାୟ କରିଥିଲେ । ତା’ପରେ ସମସ୍ତ ରାଜା ଯୁଧିଷ୍ଟିରଙ୍କୁ ସମ୍ରାଟ ଘୋଷଣା କରିଥିଲେ । ଯେଉଁ ଯୁଦ୍ଧ ହୋଇଥିଲା ତାକୁ ମହାଭାରତ କୁହାଯାଇଥାଏ । ଅମୃତପାଲ ମୋ ସହ ତର୍କ କରନ୍ତୁ ।’

ଆଗକୁ ସେ ଲେଖିଛନ୍ତି, ‘ଅମୃତପାଲ ଦେଶକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । କେହି ମୋ ସହ ବୌଦ୍ଧିକ ତର୍କ କଲେ ଖାଲିସ୍ତାନୀ ଦାବିକୁ ମୁଁ ପ୍ରମାଣିତ କରିଦେବି । ଯଦି ଖଲିସ୍ତାନୀ ମୋତେ ମାରପିଟ କରିବେନି, ଆକ୍ରମଣ କରିବେନି କି ଗୁଳି ମାରିବେନି ତେବେ ମୁଁ ତର୍କ କରିବାକୁ ପ୍ରସ୍ତୁତ ଅଛି ।’

ସୂଚନାଯୋଗ୍ୟ, ଦୁଇବର୍ଷ ପୂର୍ବେ କୃଷି ବିଲ ବିରୋଧକାରୀଙ୍କୁ କଙ୍ଗନା ଆତଙ୍କବାଦୀ ଓ ଖଲିସ୍ତାନୀ କହିଥିଲେ । କଙ୍ଗନାଙ୍କ ଏହି ପୋଷ୍ଟ ସେତେବେଳେ ବିବାଦର କେନ୍ଦ୍ର ପାଲଟିଥିଲା । ଏପରିକି ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ବିବାଦ ପରେ କଙ୍ଗନା ଯେବେ ପଞ୍ଜବ ଯାଇଥିଲେ, ସେତେବେଳେ କୃଷକମାନେ ତାଙ୍କ କାରକୁ ଘେରି ଯାଇଥିଲେ ।

ଅଜନାଲ ପୋଲିସ ଷ୍ଟେସନରେ ଆକ୍ରମଣ ପରେ ଦୁଇ ବର୍ଷ ପୂର୍ବର କଥା କଙ୍ଗନା ମନେ ପକାଇଛନ୍ତି । ଥାନା ଆକ୍ରମଣ ଘଟଣାକୁ ନେଇ ପଞ୍ଜାବ ପୋଲିସ, ଖଲିସ୍ତାନୀ ସମର୍ଥକଙ୍କ ପ୍ରତି ନରମ ରହୁଥିବା ଅଭିଯୋଗ ହେଉଛି । ଏହାକୁ ନେଇ ପଞ୍ଜାବ ଡିଜିପି ପ୍ରତିକ୍ରିୟା ରଖିଛନ୍ତି । ପୋଲିସ ତଥ୍ୟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଅମୃତପାଲ ସିଂ ଓ ତାଙ୍କ ସମର୍ଥକଙ୍କୁ ଛଡ଼ାଯିବ ନାହିଁ ।