ମରଣଯନ୍ତା ପାଲଟିଛି କଣ୍ଟାମାଳ ବ୍ଲକ ବଘିଆବାହାଲ- ମଲିକପଦର ରାସ୍ତା

କଣ୍ଟାମାଳ : ଗାଁକୁ ନାହିଁ ପକ୍କା ରାସ୍ତା । ଆଉ ଯେଉଁ ମାଟି ରାସ୍ତାଟିଏ ଅଛି ତାହା ଉପରେ ନଜର ପକାନ୍ତୁ । କିପରି ପାଣି କାଦୁଅରେ ଭରି ରହିଛି । ମଝିରେ ମଝିରେ ସୃଷ୍ଟି ହୋଇଛି ବଡ ବଡ ଗର୍ତ୍ତ । ରାସ୍ତାରେ ଡ୍ରେନ ପାଣି ବି ଚାଲୁଛି । ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେଙ୍ଗାଲି ପଞ୍ଚାୟତର ବାଘିଆବାହାଲ ଛକ ଠାରୁ ମଲିକପଦର ଗାଁକୁ ଯାଇଥିବା ତିନି କିମି ରାସ୍ତାର ଦୂରାବସ୍ଥା । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଶୋଚନୀୟ ଅବସ୍ଥାରେ ଯିବା ଆସିବା କରୁଛନ୍ତି ମଲିକପଦର ଗ୍ରାମବାସୀ । ଏପରିକି ଜୁରୁରୀକାଳୀନ ଗାଡିବି ଗାଁ କୁ ଆସିପାରୁନାହିଁ । ଅନ୍ଯପଟେ ମଲିକପଦର ଗାଁରୁ ପଲସାଗୋରା ସ୍କୁଲ, କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ଠିକ ସମୟରେ ଶିକ୍ଷାନୁଷ୍ଠାନରେ ପହଞ୍ଚି ପାରୁନଥିବା କହିଛନ୍ତି ।
ବାଘିଆବାହାଲ ଛକ ଠାରୁ ମଲିକପଦରକୁ ସଂଯୋଗ କରୁଥିବା ରାସ୍ତା ଦେଇ ୮ ଖଣ୍ଡ ଗାଁ ଲୋକେ ପଲସାଗୋରାକୁ ଯାଇଥାନ୍ତି । ରାସ୍ତାର ଦୂରାବସ୍ଥା ପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ଯ ଘଟୁଛି । ରାସ୍ତା ମରାମତି ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ପକ୍ଷରୁ ମାଟି କାମ ହେଉଛି ହେଲେ ବର୍ଷା ଦିନେ ପୁଣି ସେଇ ସମସ୍ଯା ଭୋଗୁଛନ୍ତି ଲୋକେ ।