ମା’ ଓ ୩ ସନ୍ତାନଙ୍କୁ ହତ୍ୟା

ବାଙ୍ଗାଲୋର: ଦୀପାବଳିରେ ସବୁଠି ଦେଖିବାକୁ ମିଳିଛି ଉତ୍ସାହର ମାହୋଲ । ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିବାବେଳେ କର୍ଣ୍ଣାଟକ ଉଡୁପି ଜିଲ୍ଲାରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ମା ଓ ୩ ସନ୍ତାନଙ୍କୁ କରାଯାଇଛି ହତ୍ୟା । ଉଡୁପି ଜିଲ୍ଲାର କେମ୍ମାନୁରେ ଘଟିଛି ହତ୍ୟାକାଣ୍ଡ । ପୋଲିସ ସୂତ୍ରରୁ ପ୍ରକାଶ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ସାରା ପରିବାର ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ ୪୬ ବର୍ଷ ବୟସ୍କା ମା ଓ ୨୩, ୨୧, ୧୨ ବର୍ଷ ବୟସ୍କ ୩ ପୁଅ ପ୍ରାଣ ହରାଇଥିଲେ । ଜଣେ ମହିଳା ବି ଗୁରୁତର ହୋଇଛନ୍ତି । ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ମହିଳାଙ୍କ ସ୍ବାମୀ ଉପସାଗରୀୟ ଦେଶରେ କାମ କରୁଛନ୍ତି । ଘଟଣାସ୍ଥଳରେ ଉଡୁପି ଜିଲ୍ଲା ଏସପି ଅରୁଣ କୁମାର ଉପସ୍ଥିତ ରହି ତଦନ୍ତ କରିଛନ୍ତି । ଗଣହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ବିଭିନ୍ନ ଦିଗରୁ ତଦନ୍ତ କରୁଛି ପୋଲିସ ।