ଖଲିସ୍ତାନୀଙ୍କୁ ଚ୍ୟାଲେଂଜ୍ କରି ତ୍ରିରଙ୍ଗାର ସମ୍ମାନ ରଖିଥିବା ଯୁବକଙ୍କୁ ସୋସିଆଲ ମିଡିଆ କରୁଛି ସଲ୍ୟୁଟ୍

ଲଣ୍ଡନ: ଖଲିସ୍ତାନୀ ବିଛିନ୍ନତାବାଦୀ ନିକଟରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ  ତ୍ରୀରଙ୍ଗାର ଅପମାନ କରିଥିଲେ । ଗାନ୍ଧି ଜୟନ୍ତି ଦିନ ଖଲିସ୍ତାନୀ ବିଛିନ୍ନତାବାଦୀ ତ୍ରିରଙ୍ଗାରେ ନିଆଁ ଲଗାଇ ଦେଇଥିଲେ । ଏହା ସହିତ ସେମାନେ ତ୍ରିରଙ୍ଗା ଉପରେ ଗୋମୂତ୍ର ଢାଳିଥିଲେ । ଦଲ୍ ଖଲସା ନାମକ ସଂଗଠନ ଗୁରଚରଣ ସିଂହ ନେତୃତ୍ୱରେ ଏଭଳି କାଣ୍ଡ ହୋଇଥିଲା । ଖଲିସ୍ତାନୀ ସମର୍ଥକଙ୍କ ଉଗ୍ର ଭିଡ଼ ଏମିତି କାଣ୍ଡ କରୁଥିବା ବେଳେ ଲଣ୍ଡନ ପୋଲିସ ଚୁପଚାପ ଛିଡା ହୋଇ ତମାସା ଦେଖୁଥିଲା। କିନ୍ତୁ ଜଣେ ଭାରତୀୟ ଯୁବକ ଦେଶର ଅପାମନ ସହି ପାରିନଥିଲେ ।  ହିଂସ୍ର ଭିଡ଼କୁ ଖାତିର ନକରି ସେ ତ୍ରିରଙ୍ଗାର ସମ୍ମାନ ରଖିଥିଲେ । ତଳେ ପଡ଼ିଥିବା ତ୍ରୀରଙ୍ଗାକୁ ଏହି ଯୁବକ ଖଲିସ୍ତାନୀଙ୍କ ଉପସ୍ଥିତିରେ ଉଠାଇ ନେଇଥିଲେ । ତାଙ୍କର ଏହି କାମକୁ ଏବେ ସୋସିଆଲ ମିଡିଆ ସଲ୍ୟୁଟ୍ କରୁଛି ।

ଦେଶକୁ ନଇଁବାକୁ ଦେବି ନାହିଁ

ତ୍ରିରଙ୍ଗାର ସମ୍ମାନ ରଖିଥିବା ଏହି ଯୁବକଙ୍କ ନାମ ହେଉଛି ସତ୍ୟମ ସୁରାଣା । ଟ୍ୱିଟର ବା ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ଶିଖ୍ ବିଛିନ୍ନତାବାଦୀ ତ୍ରିରଙ୍ଗାକୁ ତଳେ ପକାଇ ସେଥିରେ ଗୋଟିଏ ବୋତଲରୁ ଗୋମୂତ୍ର ଢାଳୁଛନ୍ତି । ଏହି ସମୟରେ ଲଣ୍ଡନ ପୋଲିସର ଜଣେ ଅଧିକାରୀ ଭିଡକୁ ଆଡେଇବାକୁ ଆସି ତ୍ରିରଙ୍ଗା ଉପରେ ଛିଡା ହୋଇଯାଉଛନ୍ତି । ତ୍ରିରଙ୍ଗା ଉପରେ ପୋଲିସ କର୍ମୀ ଜାଣିଶୁଣି ଚଢିଥିଲେ କି ଅଜାଣତରେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ନିକଟରେ ଥିବା ସତ୍ୟମଙ୍କୁ ଏହା ବରଦାସ୍ତ ହୋଇନଥିଲା । ସେ ତୁରନ୍ତ ତ୍ରିରଙ୍ଗାକୁ ଉଠାଇ ନେଇଥିଲେ । ଉଗ୍ର ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ହିଂସା ମଧ୍ଯ ତାଙ୍କୁ ଭୟଭୀତ କରିନଥିଲା । ସତ୍ୟମଙ୍କ ଏହି ଭିଡିଓକୁ କରନ କଟାରିଆ ନାମକ ବ୍ୟକ୍ତି ଟ୍ୱିଟରରେ ସେୟାର କରିଥିଲେ । ସେ ଲେଖିଥିଲେ ଯେ, ଲଣ୍ଡନ୍ ସ୍କୁଲ ଅଫ୍ ଇକୋନମିକ୍ସରେ ମୋର ଜୁନିଅର ଗର୍ବର ସହିତ ଭାରତୀୟ ହାଇକମିଶନ ବାହାରେ ତ୍ରିରଙ୍ଗାକୁ ଉଠାଇଥିଲେ । ଅହିଂସା ସହିତ ସେ ଆତଙ୍କବାଦ ବିରୋଧରେ ଲଢିଛନ୍ତି । ଏଭଳି କ’ଣ ବାଧା ଅଛି ଯାହାକୁ ପ୍ରେମ ଭାଙ୍ଗି ପାରିବ ନାହିଁ ?

କିଏ ସତ୍ୟମ ?

ମହାରାଷ୍ଟ୍ରର ସତ୍ୟମ ପେଶାରେ ଓକିଲ । ସେ ପୁଣେରେ ରୁହନ୍ତି । ଏବେ ଲଣ୍ଡନରେ ଏଲଏଲଏମ ପଢୁଛନ୍ତି । କରନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ମୁଁ ଆପଣଙ୍କ ଶବ୍ଦ ଦ୍ୱାରା ବହୁତ ପ୍ରେରିତ । ମୁଁ ସବୁବେଳେ ଭାରତ ପାଇଁ ଉପଲବ୍ଧ । ଆପଣ ମୋତେ ଭାରତରୁ ବାହାର କରି ପାରନ୍ତି କିନ୍ତୁ ମୋ ମନରୁ ଭାରତକୁ ନୁହେଁ । ସୂଚନାଯୋଗ୍ୟ ଯେ,ସତ୍ୟମ ନିଜ ଟ୍ୱିଟର ଆକାଉଣ୍ଟରେ ନିଜକୁ ରାଷ୍ଟ୍ରବାଦୀ ବୋଲି ପରିଚୟ ଦିଅନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ, ଏକଦା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମ ସ୍ୱରାଜ କହିଥିଲେ ଆପଣ ମଙ୍ଗଳ ଗ୍ରହରେ ଥିଲେ ମଧ୍ଯ ଭାରତୀୟ ଦୂତାବାସ ଆପଣଙ୍କୁ ସାହାଯ୍ୟ କରିବ । ମୁଁ କହିବି ଯେ, ଅସଲି ଭାରତୀୟ ଭାରତ ଓ ଭାରତୀୟ ଦୂତାବାସଙ୍କ ପାଇଁ ଛିଡ଼ା ହେବ ।