ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଥିଲେ, ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ । ଅଭିଯୁକ୍ତ ବାମଦେବ ସାହୁକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବାଲିପାଟଣା ଥାନା ଅନ୍ତର୍ଗତ କଣ୍ଟାସାହି ଗ୍ରାମରେ ୨୦୧୮ ମସିହାରେ ଘଟିଥିଲା ଘଟଣା । ଅଭିଯୁକ୍ତ ପତ୍ନୀ ରୀନାରାଣୀ ଓ ଝିଅ ପୂଜାଶ୍ରୀଙ୍କ ସହ କଣ୍ଟାସାହି ଗ୍ରାମ ମୁଣ୍ଡରେ ରହୁଥିଲେ । ୨୦୧୮ ମେ ୧୨ ତାରିଖ ଦିନ ଘରୋଇ କଳିରୁ ରୀନାଙ୍କୁ ଏକ କଟୁରୀରେ ଆକ୍ରମଣ କରିଥିଲା ବାମଦେବ ।

ଝିଅ ବାଧା ଦେବାରୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ହସପିଟାଲ ଯିବା ପୂର୍ବରୁ ରୀନାଙ୍କ ମୃତ୍ୟୁ ହୋଇଥିଲା । ରୀନାଙ୍କ ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ବାଲିପାଟଣା ଥାନାର ତତକାଳୀନ ଆଇଆଇସି ରବିନାରାୟଣ ଭଞ୍ଜ ଅଭିଯୁକ୍ତ ବାମଦେବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଆଜି ମାମଲାରେ ୨୧ଟି ଦସ୍ତାବିଜ ଏବଂ ମୋଟ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ ସତ୍ୟ ନାରାୟଣ ପାତ୍ର ବାମଦେବକୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାରେ ସରକାରୀ ଓକିଲ ସଲିଳ ପଟ୍ଟନାୟକ କେସ ଲଢିଥିଲେ ।