ମୌସୁମୀ ବର୍ଷା ଆଣିଦେଲା ଚାଷୀଙ୍କ ମୁହଁରେ ହସ

କୋଣାର୍କ : ମୌସୁମୀ ବର୍ଷାର ପ୍ରଥମ ଛୁଆଁରେ ହସୁଛି ଧରା । ବର୍ଷାକୁ ଦେଖି ପ୍ରଫୁଲିତ ଚଷା ପୁଅ। ଚାଷ କାର୍ଯ୍ୟ ପାଇଁ ଅଣ୍ଟା ଭିଡ଼ିଛନ୍ତି ଉପକୂଳିଆ ଚାଷୀ । ସଅଳ ଧାନ ଫସଲ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପୁରୀ ଜିଲ୍ଲା ଉପକୂଳ ଏକ କୃଷି ପ୍ରଧାନ ଅଞ୍ଚଳ । କାକଟପୁର ଅସ୍ତରଙ୍ଗ ଅଞ୍ଚଳର ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରୁଥିବା ବେଳେ ଧାନ ଚାଷ ଏହି ଅଞ୍ଚଳର ମୁଖ୍ୟ ଫସଲ । ଅସ୍ତରଙ୍ଗ ବ୍ଲକରେ ୯ ହଜାର ୮୧୫ ହେକ୍ଟର ଚାଷ ଜମି ରହିଛି । ସେଥିରୁ ୮ହଜାର ୭୮୦ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଥାଏ  । ହେଲେ ଚଳିତ ବର୍ଷ ଆଗୁଆ ମୌସୁମୀ ବର୍ଷା ଆସିଥିବାରୁ ଚାଷୀ ବିଲରେ ପାଣି ଦେଖି ଚାଷ କାର୍ଯ୍ୟ ଆରମ୍ଭ କରିଛି ଚାଷୀ ।

ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଲଗାତାର କିଛି ଦିନ ହେବ ବର୍ଷା ହେବା ପରେ ହେକ୍ଟର ହେକ୍ଟର ଜମିରେ ହଳ କରିବା ସହିତ ବିହନ ବୁଣାବୁଣି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଚାଷୀ । ଆଉ ମୁଣ୍ଡ ଝାଳ ତୁଣ୍ଡରେ ମାରି ଶୀଘ୍ର ଚାଷ କାମ ସାରିବାକୁ ଲାଗି ପଡ଼ିଛନ୍ତି । ସେପଟେ ଚାଷ କାର୍ଯ୍ୟ ପାଇଁ ଚାଷୀ ଅନେକ ବାଧା ବିଗ୍ନ ଦେଇ ଗତିକରୁଥିବା ବେଳେ ଅନେକ ସମୟରେ ଦୈବଦୁର୍ବିପାକର ସମ୍ମୁଖୀନ ହୋଇଥାଏ ଚାଷୀ । ତଥାପି ଚାଷୀ ତାର କୌଳିକ ବୃତ୍ତି ରକ୍ଷା କରି ଅନେକଙ୍କ ମୁହଁରେ ଆହାର ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛି । ମୌସୁମୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଭଲ ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି । ପ୍ରାକ ମୌସୁମୀ ବର୍ଷା ଆସିଥିବାରୁ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଦେଲେଣି । ଚଳିତ ବର୍ଷ ଚାଷ କାର୍ଯ୍ୟ ସଅଳ ହୋଇଥିଲେ ମଧ୍ୟ ସଅଳ ସାରିବାକୁ ଚାଷୀ ଭାଇ ମାନଙ୍କୁ ପରାମର୍ଶ ଦେଇଛନ୍ତି କୃଷି ଅଧିକାରୀ । ବର୍ଷା ଜାରି ରହିଲେ ଶୀଘ୍ର ବେଉସଣ ସରିବ ବୋଲି ଆଶା ବାନ୍ଧିଥିବା ବେଳେ ଶିଘ୍ର ଚାଷ କାର୍ଯ୍ୟ କରିବା ପାଇଁ ଚାଷୀଙ୍କୁ ଉତ୍ସାହିତ କରିଛି ସଅଳ ଆସିଥିବା ମୌସୁମୀ ବର୍ଷା ।