ବିକାଶ ପଥେ କୋଟିଆ

କୋରାପୁଟ: ବିକାଶ ପଥେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆର ୨୧ ଖଣ୍ଡ ଗାଁ । ଓଡିଶା ସରକାର କୋଟିଆର ଉନ୍ନତି ଏବଂ ସ୍ଥାନୀୟ ଅଧିବାସୀ କିଭଳି ସ୍ବାବଲମ୍ବି ହୋଇ ପାରିବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ପ୍ରୟାସ ସଫଳ ମଧ୍ୟ ହୋଇ ପାରୁଥିବା ଦେଖିବାକୁ ମିଳିଛି । କୋଟିଆବାସୀ ଜଙ୍ଗଲରୁ ଉତ୍ପାଦିତ ହେଉଥିବା ଝାଡୁ ଗୁଡ଼ିକୁ ବିକ୍ରି କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି।

ଉନ୍ନତିପଥେ କୋରାପୁଟ ଜିଲ୍ଲାର କୋଟିଆ  । ସ୍ଥାନୀୟବାସୀଙ୍କୁ ସ୍ବାବଲମ୍ବୀ କରିଛି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ । ବିକାଶକୁ ଦେଖି ଛାନିଆ ପଡୋଶୀ ରାଜ୍ୟ ଆନ୍ଧ୍ର । କୋଟିଆକୁ ଅକ୍ତିଆର ପାଇଁ ଆନ୍ଧ୍ର ବିଭିନ୍ନ ଚକ୍ରାନ୍ତ ଚଳାଇଥିବା ବେଳେ ଏହାକୁ ନାକାମ କରିଛି ରାଜ୍ୟ ସରକାର । କୋଟିଆର ଉନ୍ନତି ପାଇଁ ୧୫୦ କୋଟି ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅନୁଦାନରେ ରାସ୍ତା ଘାଟ,ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସୁବିଧା କରାଯାଇଛି । ବର୍ତ୍ତମାନ ସ୍ଥାନୀୟ ବାସିଙ୍କ ଜୀବନ ଜୀବିକା ନିମନ୍ତେ ଛେଳି ଚାଷ,କୁକୁଡ଼ା ଚାଷ, ଷ୍ଟ୍ରବେରି ଚାଷ ଆଦି ଯୋଜନା ପ୍ରଣୟନ କରାଯାଇଛି । ସେହିଭଳି ସ୍ଥାନୀୟ ଜଙ୍ଗଲରୁ ଉତ୍ପାଦିତ ଝାଡୁ ମଧ୍ୟ ଆତ୍ମନିର୍ଭରଶିଳର ମାଧ୍ୟମ ହୋଇପାରିଛି । ସ୍ଥାନୀୟ ଏସଏଚଜି ମାଆଙ୍କ ମାଧ୍ୟମରେ ସେହି ଝାଡୁ ଗୁଡ଼ିକୁ ବାନ୍ଧି ବିଭିନ୍ନ ରାଜ୍ୟରେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

କୋଟିଆବାସୀ ପୂର୍ବରୁ ଝାଡୁ ଗୁଡ଼ିକୁ ଶାଗ ମାଛ ଦରରେ କୁନ୍ଦୁଲି ହାଟରେ ବିକ୍ରି କରୁଥିଲେ। ଏହି ଝାଡୁକୁ ବିକ୍ରି କରି ଲୋକେ କିଭଳି ସ୍ବାବଲମ୍ବି ହୋଇପାରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ ରାଜ୍ୟସରକାର । କୋଟିଆରେ ଝାଡୁ ବନ୍ଧା କେନ୍ଦ୍ର ନିର୍ମାଣ କରି ଓର୍ମାସ୍ ଦ୍ଵାରା ଏହାକୁ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଏହାକୁ ବିକ୍ରି ଏବଂ ପ୍ରସ୍ତୁତି ଦାୟିତ୍ବ ନେଇ ଏବେ ଭଲ ଦୁଇପଇସା ରୋଜଗାର କରିପାରୁଛନ୍ତି ମିଶନଶକ୍ତି ମହିଳା ।