କାହିଁକି ବାହାଘର କାର୍ଯ୍ୟକ୍ରମରେ ଗାଉ ନଥିଲେ କେକେ ? ଫିଲ୍ମ ଅଫରକୁ ବି କରିଛନ୍ତି ପ୍ରତ୍ୟାଖାନ

1 min read

ନୂଆଦିଲ୍ଲୀ: ସମସ୍ତଙ୍କ ଆଖିରେ ଲୁହ ଦେଇ ଅଫେରା ବାଟରେ ଚାଲି ଯାଇଛନ୍ତି ବଲିଉଡର ସୁପ୍ରସିଦ୍ଧ ସୀଙ୍ଗର କୃଷ୍ଣକୁମାର କୁନ୍ନାଥ ଓରଫ କେକେ । କେକେଙ୍କ ପରଲୋକ ସଙ୍ଗୀତ ଜଗତକୁ ସ୍ତବ୍ଧ କରି ଦେଇଛି । କେବଳ ସଙ୍ଗୀତ କି ସିନେମା ଜଗତ ନୁହେଁ ପୂରା ଦେଶରେ ଖେଳି ଯାଇଛି ଶୋକର ଛାୟା । କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅସୁସ୍ଥ ହୋଇ ପଡିଯିବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । କେକେଙ୍କ ନିଧନ ପରେ ତାଙ୍କୁ ନେଇ ବହୁତ କଥା ଶୁଣିବାକୁ ମିଳୁଛି । ଏହାରି ଭିତରେ ବିବାହ କାର୍ଯ୍ୟକ୍ରମରେ ଗାଇବାକୁ କେକେ ମନା କରିବା, ଫିଲ୍ମରେ ହିରୋ ହେବାର ଅଫରକୁ ହସି ହସି ପ୍ରତ୍ୟାଖାନ କରିଦେବା ସଙ୍ଗୀତ ପ୍ରତି ତାଙ୍କ ଭଲ ପାଇବାକୁ ପ୍ରତିବାଦିତ କରୁଛି । ଆସନ୍ତୁ ଜାଣିବା କେକେ କାହିଁକି ଫିଲ୍ମ ଓ ବାହାଘରରେ ଗାଇବାକୁ ମନା କରିଥିଲେ ।

ପ୍ରାୟ ସବୁ ସୀଙ୍ଗର ବିଭିନ୍ନ ବିବାହ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଶଣ କରିବା ଦେଖିଥିବେ । ହେଲେ ଏମାନଙ୍କ ମଧ୍ୟରୁ ବ୍ୟତିକ୍ରମ ଥିଲେ କେକେ । ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା କଣ୍ଠଶିଳ୍ପୀ ଭାବେ ଆପଣ କୌଣସି ଅଫରକୁ ଗ୍ରହଣ କରିବାକୁ ମନା କରିଛନ୍ତି କି ? ଉତ୍ତରରେ କେକେ କହିଥିଲେ, ‘ମୁଁ ବିବାହ ଉତ୍ସବରେ ଗାଇବାକୁ ଆସୁଥିବା ଅଫରକୁ ଗ୍ରହଣ କରିନଥାଏ । ମୋତେ କୋଟିଏ ଟଙ୍କାର ଅଫର ଦେଲେ ବି ମୁଁ ବିବାହ ଉତ୍ସବରେ ଗାଇବି ନାହିଁ ।’

କିଛି କଣ୍ଠଶିଳ୍ପୀ ଆକ୍ଟିଂରେ ବି ନିଜ ଭାଗ୍ୟ ପରୀକ୍ଷା କରିଥିବା ଦେଖିଛନ୍ତି । ଏନେଇ କେକେଙ୍କୁ ପ୍ରଶ୍ନ ପଚରାଯିବାରେ ସେ କହିଥିଲେ, ‘ପ୍ଲିଜ… ଏହାକୁ ଛାଡ । ମୁଁ ପି-ନେଟ ପାଇଁ ଅଭିନୟ କରିପାରିବିନି । କିଛି ବର୍ଷ ପୂର୍ବେ ମୋତେ ଫିଲ୍ମ ଅଫର ଆସିଥିଲା, ଯାହାକୁ ମୁଁ ପ୍ରତ୍ୟାଖାନ କରିଦେଇଥିଲି ।

ଏଥିରୁ ସ୍ପଷ୍ଟ ଜଣାପଡୁଛି କେକେଙ୍କ ପ୍ରଥମ ଓ ଶେଷ ସମ୍ପର୍କ କେବଳ ସଙ୍ଗୀତ ସହ । ସଙ୍ଗୀତ ପ୍ରତି ପ୍ରେମ ତାଙ୍କ ଗୀତ ଓ ସ୍ବରରେ ପ୍ରତିଫଳିତ ହୋଇଥାଏ । କେକେ ତାଙ୍କର ପ୍ରଥମ ଗୀତ ଫିଲ୍ମ ‘ମାଚିସ’ର ଗୀତ ‘ଛୋଡ ଆଏ ହାମ…’ରୁ ଆରମ୍ଭ ହୋଇଥିଲା । ହେଲେ ଫିଲ୍ମ ‘ହମ୍ ଦିଲ୍ଲ ଦେ ଚୁକେ ସନମ’ର ଗୀତ ‘ତଡପ ତଡପ କେ ଇସ୍ ଦିଲ୍ଲ ସେ…’ ତାଙ୍କୁ ଦେଇଥିଲା ପରିଚୟ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି । ତାଙ୍କର ଏହି ଗୀତ ଆଜି ବି ଲୋକଙ୍କ କନ୍ଦାଇବାକୁ ଶକ୍ତି ରଖିଛି । ହେଲେ କେକେଙ୍କ ଏମିତି ଅକାଳ ବିୟୋଗରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି ।