ଜଗନ୍ନାଥଙ୍କ ପରମ ଭକ୍ତ ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ପୁରୀ: ପବିତ୍ର ଦେବସ୍ନାନ ପୁର୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ପୁରୁଣା ଭୁବନେଶ୍ୱର ଖରଖିଆ ବୈଦ୍ୟନାଥ ନିବାସୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଏକାଧାରରେ ଥିଲେ ଜଣେ ପ୍ରଶାସକ, ସାହିତ୍ୟିକ, ଗବେଷକ ଓ ସମାଜସେବୀ । ସେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଉପରେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି ।

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ବହୁ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକ ପାରଳାଖେମୁଣ୍ଡିର ମୂଳବାସିନ୍ଦା । ଓଡଗାଁ ରଘୁନାଥ ଟ୍ରଷ୍ଟ ସହିତ ମଧ୍ୟ ଜଡିତ ଥିଲେ । ପତ୍ନୀଙ୍କ ଦେହାନ୍ତ ପୂର୍ବରୁ ହୋଇଯାଇଥିଲା । ତାଙ୍କ ରଚିତ ପୁସ୍ତକ ଛୋଟ ପରିବାର, ରତ୍ନମାଳ, ସର୍ବ ଧର୍ମର ମୂଳଭିତ୍ତି – ସନାତନ ଧର୍ମ, ଭାବାନ୍ତର , ମାନବ ସେବା ହିଁ ମାଧବ ସେବା, ମୁକ୍ତିର ସୋପାନ, ସର୍ବ ବ୍ରହ୍ମମୟ ଜଗତ, ଦ୍ବିତୀୟ ଶ୍ରୀକ୍ଷେତ୍ର ଓଡଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଆଦି ତାଙ୍କ ତାଙ୍କ ଲେଖା  ।

ସେହିପରି ଇଂରାଜୀରେ ରଚିତ ଭଏସ ଅଫ ଅନସାଇନ୍ସ, ଏ କଲଚରାଲ ଆଣ୍ଡ ସ୍ପିରିଚୁଆଲ ଗାଇଡ୍ ଆଦି ବେଶ ପ୍ରସିଦ୍ଧି ଲାଭ କରିଛି । ସ୍ବର୍ଗତ ପଟ୍ଟନାୟକଙ୍କର ଶେଷକୃତ୍ୟ ପୁରୁଣା ଭୁବନେଶ୍ୱରସ୍ଥ କାଲିଗଡ଼ିଆ ସ୍ମଶାନରେ କରାଯାଇଛି । ବଡ଼ ପୁଅ ନାଗେଶ୍ୱର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ଅନ୍ତ୍ୟେଷ୍ଟି ସମୟରେ ଅନ୍ୟ ପୁଅ ଓ ଝିଅ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply