ତାଇୱାନର ନୂଆ ରାଷ୍ଟ୍ରପତି ହେଲେ ଲାଇ ଚିଙ୍ଗତେ

1 min read

ତାଇପେଇ: ଲାଇ ଚିଙ୍ଗତେ ତାଇୱାନର ନୂଆ ରାଷ୍ଟ୍ରପତି। ଚୀନ ବିରୋଧୀ ଭାବେ ଜଣାଶୁଣା ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଲାଇ ଚିଙ୍ଗତେ। ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ପ୍ରାର୍ଥୀ ହୋ ୟୁଇ ଏବଂ ତାଇୱାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ତଥା ତାଇପେଇର ପୂର୍ବତନ ମେୟର କୋ ଓ୍ବେନ ଜେ ପରାସ୍ତ ହୋଇଛନ୍ତି।

ନିର୍ବାଚନ ପୂର୍ବରୁ ଲାଇଙ୍କୁ ଜଣେ ବିପଜ୍ଜନକ ବିଚ୍ଛିନ୍ନତାବାଦୀ ଭାବେ ଚିତ୍ରଣ କରିଥିଲା ଚୀନ । ତାଇଓ୍ବାନରେ ଶାନ୍ତି ବଜାୟ ରଖିବା ଲାଗି ଘୋଷଣା କରିଛନ୍ତି ନୂଆ ରାଷ୍ଟ୍ରପତି । ତାଇଓ୍ବାନ ଉପରେ ଚୀନର ସାମରିକ ଓ ଅର୍ଥନୈତିକ ଆଧିପତ୍ୟ ବଢୁଥିବା ସତ୍ତ୍ବେ ଏହି ନିର୍ବାଚନ ହୋଇଥିଲା। ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ହୋଇଥିବାବେଳେ ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ହୋ ୟୁଇ। ତାଇଓ୍ବାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ କୋ ଓ୍ବେନ ଜେ।

ପୂର୍ବତନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ ୮ ବର୍ଷ କ୍ଷମତାରେ ରହିଥିଲେ। ତେବେ ନିୟମ ଦୃଷ୍ଟିରୁ ଆଉ ନିର୍ବାଚନ ଲଢିପାରିନଥିଲେ ସାଇ ଇଙ୍ଗ ଓ୍ବେନ। ତାଇଓ୍ବାନକୁ ସର୍ବଦା ସ୍ବାଧୀନ ରାଷ୍ଟ୍ର ବୋଲି ଘୋଷଣା କରିଆସୁଛି DPP। DPPର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ଜଣେ ଡାକ୍ତରରୁ ବନିଥିଲେ ରାଜନେତା। TPPର ରାଷ୍ଟ୍ରପତି ପ୍ରାର୍ଥୀ କୋ ଓ୍ବେନ ଜେ ଥିଲେ ମଧ୍ୟମ ପନ୍ଥୀ । ତାଇଓ୍ବାନର ଇତିହାସ କୁହେ- ତୃତୀୟ ଥର ଲାଗି କୌଣସି ଦଳ କ୍ଷମତାକୁ ଆସିନାହିଁ। ତାଇଓ୍ବାନର ଗଣତାନ୍ତ୍ରିକ ଇତିହାସ ୨୭ ବର୍ଷ ପୁରାତନ। ପୂର୍ବତନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନଙ୍କ ସମୟକାଳରେ ଚୀନ ଅନେକ ପ୍ରକାର ସମ୍ପର୍କ ଛିନ୍ନ କରିଥିଲା। ଗତ କିଛି ବର୍ଷ ମଧ୍ୟରେ ତାଇଓ୍ବାନ ସହ ଚୀନର ସମ୍ପର୍କ ତିକ୍ତ ହୋଇଥିବାବେଳେ ଆମେରିକା-ତାଇଓ୍ବାନ ସମ୍ପର୍କ ବଢିଛି। ଚୀନର ବିରୋଧ ସତ୍ତ୍ବେ ଆମେରିକା ତାଇଓ୍ବାନକୁ ବିପୁଳ ଅସ୍ତ୍ରଶସ୍ତ୍ର ବିକ୍ରି କରିଆସୁଛି। ଏପରିକି ତାଇଓ୍ବାନ ଉପରେ ଯଦି ଚୀନ ଆକ୍ରମଣ କରେ ତେବେ ତାଇଓ୍ବାନକୁ ସୁରକ୍ଷା ଦେବାକୁ ଆମେରିକା ଆଗେଇ ଆସିବା ସମ୍ଭାବନା ରହିଛି ।