ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମାପନ ହେବ ଅଙ୍ଗଦାତାଙ୍କ ଶେଷକୃତ୍ୟ

ଭୁବନେଶ୍ବର: ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆଣିବା ସହ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜକୁ ପ୍ରେରଣା ଦେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଙ୍ଗଦାନ ଏକ ମହତ ଦାନ । ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟମାନେ ସାହସିକ ନିଷ୍ପତ୍ତି ନେଇ ଅଙ୍ଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ଏହି ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ୨୦୧୯ ମସିହାରେ ଷ୍ଟେଟ ଓରଗାନ୍ ଏଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଓର୍ଗାନାଇଜେସନ୍ ପ୍ରତିଷ୍ଠା କରିଛନ୍ତି । ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାର ୨୦୨୦ରୁ ସୁରଜ ପୁରସ୍କାର ଆରମ୍ଭ କରିଛନ୍ତି ।