ବାଘୁଣୀର ଶେଷକୃତ୍ୟ ସମସ୍ତଙ୍କୁ କଲା ଚକିତ: ଲୋକେ କହିଲେ, ଭାରତରେ କେବଳ ଏମିତି ସମ୍ଭବ

ଭୋପାଳ: କଲରଓ୍ୱାଲି ବାଘୁଣୀ । ନାଁ ତ ଶୁଣିଥିବେ । ମଧ୍ୟପ୍ରଦେଶର ପେଞ୍ଚ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟର ବାଘୁଣୀ । ଯିଏ ସାରା ଦୁନିଆରେ ସୁପର୍ ଟାଇଗ୍ରେସ୍ ମମ୍ ଭାବେ ପରିଚିତ । ଯାହାକୁ ଅଭୟାରଣ୍ୟର ରାଣୀ କୁହାଯାଉଥିଲା । ସେ ଆଉ ନାହିଁ । ଚାଲି ଯାଇଛି ଆରପାରିକୁ ।

ମୃତ୍ୟୁ ପୂର୍ବରୁ ଚର୍ଚ୍ଚାରେ ରହି ଆସିଥିବା ଏହି ସୁପର ଟାଇଗ୍ରେସ୍ ମମ୍ ଏବେ ମରିବା ପରେ ବି ଚର୍ଚ୍ଚାରେ । ବାଘୁଣୀର ଶବ ସତ୍କାରକୁ ନେଇ ଏବେ ସବୁଠି ଚର୍ଚ୍ଚା । କଲରଓ୍ୱାଲି ବାଘୁଣୀକୁ ଟାଇଗର ରିଜର୍ଭ ପାର୍କରେ ଅନ୍ତ୍ୟେଷ୍ଟି କରାଯାଉଥିବା ବେଳାର ଫଟୋ ଆଇଏଫଏସ ପରବିନ କାସଓ୍ୱାନ ଟ୍ୱିଟରରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସ ତା’ର ପ୍ରଶଂସା କରିବା ସହ ବାଘୁଣୀ ସହ ବିତାଇ ଥିବା ସମୟକୁ ମନେ ପକାଉଛନ୍ତି ।

୨୯ ପିଲା ଜନ୍ମ ଦେବାର ରେକର୍ଡ

୧୭ ବର୍ଷର ଏହି ବାଘୁଣୀ ଜୀବନ କାଳରେ ୨୯ଟି ପିଲାଙ୍କୁ ଜନ୍ମ ଦେବାର ରେକର୍ଡ କରିଛି । ଏଥିପାଇଁ ତାକୁ ସୁପର ଟାଇଗ୍ରେସ୍ ମମ୍ କୁହାଯାଇଥାଏ । ଗତ ୩ରୁ ୪ ଦିନ ହେଲା ବାଘୁଣୀଟି ଅସୁସ୍ଥ ଥିଲା । ଏହି କାରଣରୁ ତା’ର ମୃତ୍ୟୁ ଘଟିଛି । ଶେଷ ଥର ବାଘୁଣୀ ୨୦୨୧ରେ ୩ଟି ଶାବକଙ୍କୁ ଜନ୍ମ ଦେଇଥିଲା । ତେବେ ୨୦୧୧ରେ ସେ ଏକା ସାଙ୍ଗରେ ୫ଟି ଶାବକଙ୍କୁ ଜନ୍ମ ଦେବା ପରେ ଚର୍ଚ୍ଚାକୁ ଆସିଥିଲା । କାରଣ ବାଘୁଣୀ ଏକା ସାଙ୍ଗରେ ୫ଟି ପିଲା ଜନ୍ମ ଦେବା ବହୁତ କମ ଦେଖିବାକୁ ମିଳିଥାଏ ।

ଅନ୍ୟପକ୍ଷରେ ବାଘୁଣୀର ଅନ୍ତିମ ସତ୍କାର ଫଟୋ ଯିଏ ଦେଖୁଛି ଭାବବିହ୍ୱଳ ହୋଇଯାଉଛି । ଟ୍ୱିଟର ୟୁଜର୍ସ ଏହାକୁ ଭୂରୀ ଭୂରୀ ପ୍ରଶଂସା କରୁଛନ୍ତି । ଏମିତି ସମ୍ମାନ କେବଳ ଭାରତରେ ହିଁ ସମ୍ଭବ ବୋଲି ୟୁଜର୍ସ କହୁଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି, ଏମିତି ସଂସ୍କାର ଆମ ପିଲାମାନେ ଦେଖନ୍ତୁ ଓ ଶିଖନ୍ତୁ । ଆଉ କିଛି ୟୁଜର୍ସ ‘ମାଆ ଅମର ରହେ’ ବୋଲି ଲେଖିଥିବା ବେଳେ କିଛି କଲରଓ୍ୱାଲିକୁ ମିସ୍ କରିବେ ବୋଲି ଲେଖିଛନ୍ତି ।

କେମିତି ପଡ଼ିଲା କଲରଓ୍ୱାଲି’ ନାଁ

ଲୋକଙ୍କ ମନରେ ସବୁ ବେଳେ ପ୍ରଶ୍ନ ରହିଛି ବାଘୁଣୀର ନାଁ ‘କଲରଓ୍ୱାଲି’ କେମିତି ହେଲା । ସୂଚନାଯୋଗ୍ୟ, ୨୦୦୮ ମାର୍ଚ୍ଚରେ ବାଘୁଣୀକୁ ଅଚେତ କରି ତା’ ଦେହରେ ରେଡିଓ କଲର ଲଗାଯାଇଥିଲା । ଡେହରାଡୁନ୍ ବିଶେଷଜ୍ଞ ଟିମ୍ ଏହି କାମ କରିଥିଲେ । ଏହାପରଠାରୁ ସେ କଲରଓ୍ୱାଲି ବାଘୁଣୀ ନାଁରେ ପରିଚିତ ହୋଇଥିଲା । ‘ମଛଲି ବାଘୁଣୀ’ ପରେ କଲରଓ୍ୱାଲି ବାଘୁଣୀ ଭାରତରେ ବହୁତ ପ୍ରସିଦ୍ଧି ଲାଭ କରିଥିଲା ।

Leave a Reply