ଲେଖକରୁ ରାଜନେତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନ କାହାଣୀ

1 min read
Life Turning Point Of Odisha CM Naveen Patnaik, From Author To Politician

ଭୁବନେଶ୍ୱର: ରାଜନୀତିର ଧାର ଧରିନଥିବା ଜଣେ ବିଶ୍ୱସ୍ତରୀୟ ଲେଖକ ଆଜି ଧୁରୀଣ ରାଜନୀତିଜ୍ଞ । ତାଙ୍କ ବାପା ବିଜୁ ପଟ୍ଟନାୟକ କିମ୍ବା ପରିବାର ଲୋକେ ମଧ୍ୟ କେବେ ଭାବିନଥିଲେ ଯେ, ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ଅପରାଜେୟ ନେତା ଭାବେ ଛିଡ଼ା ହେବେ । ଏକଥାକୁ ସବୁ ରାଜନୈତିକ ବିଶ୍ଲେଷକ ଓ ପଣ୍ଡିତମାନେ ମାନିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟ କାହିଁକି ଜାତୀୟ ସ୍ତରରେ ମଧ୍ୟ ନବୀନଙ୍କ ସମକକ୍ଷ ଲୋକପ୍ରିୟ ନେତା ଏପର୍ଯ୍ୟନ୍ତ ତିଆରି ହୋଇନାହାନ୍ତି । ଆଜି ଏହି ବିଚକ୍ଷଣ ଜ୍ଞାନୀ ଓ ମାନବପ୍ରେମୀ ରାଜନେତା ୭୬ ବର୍ଷରେ ପ୍ରଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଏହି ମହାନ ଜନନାୟକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

 Life Turning Point Of Odisha CM Naveen Patnaik, From Author To Politician

୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରନ୍ତି ନବୀନ । ସେ ଦିନ ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ସେଇ କୁନି ପିଲା ଦିନେ ଓଡ଼ିଶାକୁ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଶାସନ କରିବ, ଏ କଥା ବୋଧହୁଏ ନିଜେ ବାପା ବିଜୁ ପଟ୍ଟନାୟକ କେବେ ଚିନ୍ତା କରିନଥିଲେ । ବିଜୁଙ୍କ ଅବସାନ ପରେ ସେ ଆଜି ଅପ୍ରତିଦ୍ୱନ୍ଦ୍ୱୀ ଶାସକ । ବୟସର ସାୟାହ୍ନରେ ମଧ୍ୟ ଓଡ଼ିଶାବାସୀ କେବଳ ଆଉ କେବଳ ତାଙ୍କୁ ହିଁ ଶାସନ ଗାଦିରେ ବସାଇବାକୁ ପସନ୍ଦ କରିଚାଲିଛନ୍ତି । କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି । ଭାଇ ପ୍ରେମ ପଟ୍ଟନାୟକ ଜଣେ ପ୍ରତିଷ୍ଠିତ ଶିଳ୍ପପତି ଏବଂ ଭଉଣୀ ଗୀତା ମେହେଟା ମଧ୍ୟ ଜଣେ ଆନ୍ତର୍ଜାତିକ କ୍ଷାତିସମ୍ପନ୍ନ ଲେଖିକା । ନବୀନ ପ୍ରଥମେ ଡେରାଡୁନର ୱେଲହାମ୍ ସ୍କୁଲ ଓ ପରେ ଡୁନ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କଳାରେ ସ୍ନାତକ ହାସଲ କରିବା ପରେ ସେ ଲେଖାଲେଖି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ।

 Life Turning Point Of Odisha CM Naveen Patnaik, From Author To Politician

୧୯୮୫ରୁ ୧୯୯୩ ମଧ୍ୟରେ ନବୀନ ଚାରୋଟି ବହି ଲେଖିଛନ୍ତି । ୧୯୮୩ ମସିହାରେ ନବୀନଙ୍କ ପରିଚୟ ହୋଇଥିଲା ଆମେରିକାର ପୂର୍ବତନ ପ୍ରଥମ ମହିଳା ଜାକଲିନ କେନେଡିଙ୍କ ସହ । ଉଭୟ ମିଳିତ ଭାବେ ଦୁଇଟି ବହି ଲେଖିଥିଲେ । ନବୀନ ଜଣେ ଅତି ଭ୍ରମଣପ୍ରିୟ ବ୍ୟକ୍ତି । ରାଜନୀତିକୁ ଆସିବା ପୂର୍ବରୁ ନିଜ ବନ୍ଧୁମାନଙ୍କ ସହ ସେ ଦେଶ ବିଦେଶର ବହୁ ଅଞ୍ଚଳ ବୁଲିଛନ୍ତି । ଏପରିକି ୧୯୮୮ ମସିହାରେ ଦ ଡିସିଭର୍ସ ନାମକ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି । ସେ ଲେଖିଥିବା ଏ-ସେକେଣ୍ଡ ପାରାଡାଇଜ୍, ଏ-ଡେଜାର୍ଟ କିଙ୍ଗଡମ୍, ଦ ଗାର୍ଡେନ ଅଫ ଲାଇଫ ଭଳି ପୁସ୍ତକ ଆଜି ବିଶ୍ବ ଦରବାରରେ ବେଶ ଆଦୃତ ହେବା ସହ ବେଷ୍ଟ ସେଲରର ମାନ୍ୟତା ମଧ୍ୟ ପାଇଛି । ନବୀନଙ୍କ ଲେଖନୀରେ ରହିଥିବା ଜାଦୁଗରୀ ତାଙ୍କ ଚିତ୍ରକଳାରେ ମଧ୍ୟ ପ୍ରତିଫଳିତ ହୋଇଥାଏ । ସେ ଜଣେ ଉଚ୍ଚକୋଟିର ଚିତ୍ରକର ମଧ୍ୟ । ଓଡ଼ିଶାର ପାରମ୍ପାରିକ କଳା ପ୍ରତି ତାଙ୍କର ରହିଛି ଦୁର୍ବଳତା । ଦେଶର ଏକମାତ୍ର ସରକାରୀ କୋଠା ଭାବେ ବିଶ୍ୱ ଆର୍କିଟେକ୍ଟ ପୁରସ୍କାର ପ୍ରାପ୍ତ କୃଷି ଭବନ ଡିଜାଇନ ମଧ୍ୟ ନବୀନଙ୍କ ମାନସ ସନ୍ତାନ ।

 Life Turning Point Of Odisha CM Naveen Patnaik, From Author To Politician

କ୍ରମାଗତ ଭାବେ ଗତ ୨୧ ବର୍ଷ ଧରି ଓଡ଼ିଶାର ଶାସନ ଭାର ସମ୍ଭାଳୁଥିବା ନବୀନଙ୍କ ଜୀନବ ଶୈଳୀ ଓ ଚାଲିଚଳନରେ କିଛି ବି ପରିବର୍ତ୍ତନ ଆସିନି । ଆମିଷ ଖାଆନ୍ତି ନାହିଁ, ଲୋଭ ଏବଂ ମୋହମାୟା ଠାରୁ ବହୁ ଦୂରରେ । ସବୁବେଳେ କ୍ଲିନ ସେଭ୍, ଗୋଟିଏ ସାଧାରଣ ଚପଲ ଓ ଧଳା ପାଇଜାମା ତାଙ୍କର ପରିଚୟ । ଯେଉଁଥିପାଇଁ ଏଭଳି ଜଣେ ଅମାୟିକ ବ୍ୟକ୍ତି ବିରୋଧରେ ବିରୋଧୀ ଯେତେ ଅଭିଯୋଗ ଆଣିଲେ ବି ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିପାରନ୍ତିନି। ସାଢେ ଚାରି କୋଟି ଓଡ଼ିଶାବାସୀ ତାଙ୍କର ପରିବାର ।

Leave a Reply