ମୗେସୁମୀ ଅଧିବେଶନରେ ବିରୋଧିଙ୍କ ହଟ୍ଟଗୋଳ, ଦିନ ୨ଟା ଯାଏଁ ଗୃହ ମୁଲତବି

1 min read

ନୂଆଦିଲ୍ଲୀ: ସଂସଦର ମୗେସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧି । ଲୋକସଭାରେ କଂଗ୍ରେସ, ଟିଏମସି, ବିଏସପି ଏବଂ ଅକାଳୀ ଦଳ ସାଂସଦମାନେ ଦର ବୃଦ୍ଧି, କୃଷକ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଗୃହରେ ନାରାବାଜି କରିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବି କରାଯାଇଛି।

ସେହିପରି ଟ୍ରାଜେଡି କିଙ୍ଗ ଦିଲୀପ କୁମାର ଏବଂ  କିମ୍ବଦନ୍ତୀ ଧାବକ ମିଲଖା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯାହା ପରେ ରାଜ୍ୟସଭାକୁ ମଧ୍ୟ ଏକ ଘଣ୍ଟା ଲାଗି ସ୍ଥଗିତ କରିବାକୁ ପଡିଥିଲା।

ଲାେକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ସଦନରେ ନୂଆ ମନ୍ତ୍ରୀମାନଙ୍କୁ କଂଗ୍ରେସ ପରିଚିତ କରାଇଦେଲା ନାହିଁ । ୨୪ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ଦେଖିଲି । ଆଜି ସଦନର ପରମ୍ପରାକୁ ଭଙ୍ଗା ଯାଇଛି ବୋଲି କହିଛନ୍ତି ସେ । ଏଥିସହିତ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀମାନଙ୍କୁ ପରିଚିତ କରାଉଥିବାବେଳେ ହୋହାଲ୍ଲା କରିଛନ୍ତି ବିରୋଧୀ । ସ୍ଥିତି ଏପରି ହୋଇଥିଲା ଯେ ପ୍ରଧାନମନ୍ତ୍ରୀ କିଛି କହିବାକୁ ସୁଯୋଗ ପାଇ ନଥିଲେ ।

ଉଲ୍ଲେଖଯୋଗ୍ୟ, ଏସମ୍ପର୍କରେ ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୌଣସି ବିତର୍କକୁ ସମ୍ମୁଖୀନ କରିବା ଲାଗି ସରକାର ପ୍ରସ୍ତୁତ । ସଂସଦରେ ୩୮ଟି ପ୍ରସ୍ତାବ ପଡ଼ିରହିଥିବା ବେଳେ ଏଥିରୁ ୯ଟି ପାରିତ କରିବାକୁ ସରକାର ଯୋଜନା କରିଛନ୍ତି । ଏଥିସହ ଆଉ ୧୭ଟି ପ୍ରସ୍ତାବ ଆଗତ ସହ ପାରିତ କରିପାରନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜନସଂଖ୍ୟା ନିୟନ୍ତ୍ରଣ ଓ ୟୁନିଫର୍ମ ସିଭିଲ କୋଡ୍‌ ପ୍ରସଙ୍ଗ ଏଥର ସଂସଦକୁ ସରଗରମ କରିପାରେ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ । ଏଥର ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ସକାଳ ୧୧ରୁ ସନ୍ଧ୍ୟା ୬ ଯାଏଁ ଚାଲିବ ।

Leave a Reply