ମହାଲକ୍ଷ୍ମୀଙ୍କ ପ୍ରତିଶ୍ରୁତି ରଖିଲେ ମହାପ୍ରଭୁ, କଲେ ଗୁପ୍ତ ଗୁଣ୍ଡିଚା ଯାତ୍ରା

ପୁରୀ: ନୀଳାଦ୍ରୀବିଜେ ଦିନ ମା ମହାଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ମହାପ୍ରଭୁ କରୁଛନ୍ତି ଗୁପ୍ତ ଗୁଣ୍ଡିଚା ଯାତ୍ରା । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ବରୂପ ଶ୍ରୀଜଗନ୍ନାଥ ମାଧବ ଓ ମା’ ମହାଲକ୍ଷ୍ମୀ ମା’ ଦୁର୍ଗା ରୂପରେ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ଆଜି ବିଜେ କରିଛନ୍ତି । ପରମ୍ପରା ସଂସ୍କୃତି ଓ ଵିଧି ମୁତାବକ ଏହି ନିଆରା ଓ ଅନନ୍ୟ ଯାତ୍ରା ଗୁପ୍ତ ଗୁଣ୍ଡିଚା ରୂପେ ପରିଚିତ ହୋଇଥିବା ବେଳେ 16 ପୂଜା ସମୟରେ ଏହି ଉପାସନା ଶ୍ରୀକ୍ଷେତ୍ରରେ ବେଶ ମହତ୍ହ ବହନ କରିଥାଏ ।

ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ରଥାରୁଢ଼ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିଥିଲେ । ତେବେ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିଲେ । ନୀଳାଦ୍ରିବିଜେ ସମୟରେ ମହାଲକ୍ଷ୍ମୀଙ୍କୁ ଶାରଦୀୟ ପୂଜା ସମୟରେ ଗୁପ୍ତ ଗୁଣ୍ଡିଚା ଯାତ୍ରାରେ ନେବା ପାଇଁ ମହାପ୍ରଭୁ ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶୃତିକୁ ରକ୍ଷାକରି ଆଜିର ଦିନରେ ପରମ୍ପରା ଅନୁସାରେ ମହାପ୍ରଭୁ ମାଧବ ଓ ମା’ ମହାଲକ୍ଷ୍ମୀ ମା’ ଦୁର୍ଗା ସ୍ୱରୂପ ଦୁର୍ଗା ମାଧବ ରୂପରେ ବିମାନରେ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିଥିବା ବେଳେ ଗୁପ୍ତ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି ।