spot_img

Latest Posts

ଆଜିଠୁ ମହାପ୍ରଭୁଙ୍କ ରାଧାଦାମୋଦର ବେଶ

ନନ୍ଦିଘୋଷ ବ୍ୟୁରୋ:  ଆଜି ଆଶ୍ଵିନ ଶୁକ୍ଳପକ୍ଷ ଏକାଦଶୀ ତିଥି ଅବସରରେ ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀଜୀଉ ମାଙ୍କର ରାଧାଦାମୋଦର ବେଶ ସହ ବାଳଭୋଗ ନୀତି ଅନୁଷ୍ଠିତ ହେବ । ଦୀର୍ଘ ଏକମାସ କାଳ ପ୍ରତିଦିନ ରାଧାଦାମୋଦର ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ତ୍ରିକଚ୍ଛ ପରିଧାନ କରାଯାଇ ଶ୍ରୀଭୂଜରେ ସୁବର୍ଣ୍ଣ ନଳୀ ଲାଗି କରାଯିବ । ବାଉଁଶପାତିଆ ଓ କନାରେ ପ୍ରସ୍ତୁତ ଚୂଳ ଓ ଚନ୍ଦ୍ରିକା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଶୋଭା ପାଇବ ।

ମସ୍ତକରେ ତଡ଼ଗୀ ,ଚନ୍ଦ୍ର, ସୂର୍ଯ୍ୟ, ଚିତା,କର୍ଣ୍ଣରେ କୁଣ୍ଡଳ ଓ କଟିରେ ଓଡ଼ିଆଣୀ ଧାରଣ କରିବେ । ବାରଲାଗି ପାଟ, ବିଭିନ୍ନ ପୁଷ୍ପ ଅଳଙ୍କାର, ଶିରି କପଡା,କଳା ଉତରୀୟ ବସ୍ତ୍ର ପରିଧାନ କରି ମହାପ୍ରଭୁ ଅପୂର୍ବ ଦିଶିବେ । ଆଜିଠାରୁ ଆରମ୍ଭ ହେବାକୁ ଥିବା ଠାକୁରଙ୍କ ଏହି ଅପୂର୍ବ ରାଧାଦାମୋଦର ବେଶ ଆସନ୍ତା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲୁରହିବ । ଏହି ବେଶରେ ଥାଇ ଠାକୁରଙ୍କ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପୂର୍ଣ୍ଣ କରାଯିବ । ଏହି ନୀତି ପରେ ଶ୍ରୀବିଗ୍ରହମାନଙ୍କୁ ସ୍ଵତନ୍ତ୍ର ବନ୍ଦାପନା କରାଯାଇଥାଏ । ତେବେ ଆଜିଠାରୁ ପ୍ରତ୍ୟହ ଭୋର ୪ଟା ରେ ଶ୍ରୀମନ୍ଦିର ଦ୍ୱାର ପିଟା ନୀତି ସମ୍ପର୍ଣ୍ଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।

Latest Posts

Don't Miss