ରାଜ୍ୟପାଳ ବି ଦେଲେ ମଞ୍ଜୁରୀ, ଏଣିକି ଲଭ୍‌ ଜିହାଦ୍‌ ଘଟଣା ସାମ୍ନାକୁ ଆସିଲେ ରକ୍ଷା ନାହିଁ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଲଭ୍ ଜିହାଦ ମାମଲାରେ ହୋଇଥିବା ଅଧ୍ୟାଦେଶକୁ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ମଞ୍ଜୁରୀ ମିଳିସାରିଛି । ଏହାସହ ପୁରା ରାଜ୍ୟରେ ଏହି ଅଧ୍ୟାଦେଶ ଆଜିଠୁ ଲାଗୁ ହୋଇଛି ।  ଗତ ୨୪ରେ ରାଜ୍ୟ କ୍ୟାବିନେଟରେ ଲଭ୍‌ ଜିହାଦକୁ ନେଇ ସରକାର ଅଧ୍ୟାଦେଶ ପାରିତ କରିଥିଲେ । ପରେ ଏହାକୁ ମଞ୍ଜୁରୀ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା । ଯାହାକୁ ମଞ୍ଜୁରୀ ଦିଆଯାଇଛି ।

ଆସନ୍ତା ୬ ମାସ ଭିତରେ ଏହାକୁ ବିଧାନସଭାରେ ପାରିତ କରିବାକୁ ପଡିବ । ଯାହା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିବ ବୋଲି କୁହାଯାଉଛି । ଏହି ଅଧ୍ୟାଦେଶ ମୁତାବକ କୌଣସି ଯୁବତୀଙ୍କୁ ବଳପୂର୍ବକ ବା ଧୋକା ଦେଇ ଧର୍ମ ପରିବର୍ତ୍ତନ କଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହେବ । ଏଥିସହ ନିଜ ଇଛାରେ ଧର୍ମ ପରିବର୍ତ୍ତନ କଲେ ସ୍ଥାନୀୟ ପ୍ରଶାସନକୁ ଦୁଇ ମାସ ପୂର୍ବରୁ ସୂଚନା ଦେବାକୁ ପଡିବ ବୋଲି ନିୟମ ରହିଛି । ଖାଲି ସେତିକି ନୁହେଁ ୧୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଦେବାକୁ ପଡିପାରେ ବୋଲି ନିୟମରେ ଉଲ୍ଲେଖ ରହିଛି ।

ରାଜ୍ୟରେ ବଳ ପୂର୍ବକ ଧର୍ମ ପରିବର୍ତ୍ତନ ଭଳି ମାମଲା ବଢୁଥିବା ବେଳେ ଏହା ଉପରେ ରୋକ ଲଗାଇବା ପାଇଁ ସରକାର ଏହି ଅଧ୍ୟାଦେଶ ପାରିତ କରିଛନ୍ତି ।

Leave a Reply