କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଧଅଁରାଖମନ ଗାଁରେ ଡରାଉଛି କିଡନୀ ରୋଗ

ଏମ. ରାମପୁର : ଡରାଉଛି କିଡନୀ ରୋଗ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତ ଧଅଁରାଖମନ ଗାଁରେ କିଡନୀ ରୋଗ ଆତଙ୍କ । ୧୪ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷଙ୍କ ଘଟିଲାଣି ମୃତ୍ଯୁ । ଏବେବି ୧୯ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ଆକ୍ରାନ୍ତ ହୋଇଥିବା ରୋଗୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୁଦ୍ଧା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ୯୦ ପରିବାର ।

ଧଅଁରାଖମନ ଗାଁରେ କିଡନୀ ଜନିତ ରୋଗ ବଢୁଥିବା ବେଳେ କର୍ଲାମୁଣ୍ଡା ଗୋଷ୍ଠୀ କେନ୍ଦ୍ର ପକ୍ଷରୁ ତଦନ୍ତ କରାଯାଇଛି । ଗାଁରେ ଥିବା ନଳକୂପର ପାଣିକୁ ପରୀକ୍ଷା ପାଇଁ ନିଆଯାଉଛି । ହେଲେ ରିପୋର୍ଟ ଦିଆଯାଉନି । ଫଳରେ କେଉଁ କାରଣରୁ ଗ୍ରାମବାସୀ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ଜାଣି ପାରୁନାହାନ୍ତି । ଯଦି ସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ ଏବେ ଠାରୁ ଦୃଷ୍ଟି ଦିଆ ନଯାଏ ତାହାଲେ ଆଗାମୀ ଦିନରେ ରୋଗୀ ସଂଖ୍ୟା ବଢିବା ସହ ମୃତ୍ଯୁ ସଂଖ୍ଯା ବଢିବା ସମ୍ଭାବନା ରହିଛି । ଏନେଇ କର୍ଲାମୁଣ୍ଡା ବିଡ଼ିଓଙ୍କୁ ପଚାରିବାରୁ ସେ ଫୋନ ଯୋଗେ କହିଛନ୍ତି,  ମେଡିକାଲ ଟିମ ସେହି ଗାଁକୁ ଯାଇଥିଲେ ହେଲେ ପାଣି ଯୋଗୁଁ ଏଭଳି ହୋଇନାହିଁ ଅନ୍ୟ କାରଣ କିଛି ଅଛି ବୋଲି କହିଛନ୍ତି।