ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ରମେଶ ହିଁ ଏକମାତ୍ର ବ୍ୟକ୍ତି ଯିଏ ବଞ୍ଚି ଯାଇଥିଲେ। ରମେଶଙ୍କ ସିଟ୍ ନମ୍ବର 11A ଥିଲା। ଏହି ସିଟ୍ ବିଷୟରେ ଏକ ଆକର୍ଷଣୀୟ ସୂଚନା ସାମ୍ନାକୁ ଆସିଛି।
ପ୍ରକୃତରେ, ଯେତେବେଳେ ଥାଇ ଗାୟକ ଏବଂ ଅଭିନେତା ଜେମ୍ସ ରୁଆଙ୍ଗସାକ୍ ଲୋଇଚୁସାକ୍ ଜାଣିବାକୁ ପାଇଲେ ଯେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସିଟ୍ 11A ରେ ବସିଥିବା ବ୍ୟକ୍ତି ବଞ୍ଚିଯାଇଛନ୍ତି, ସେ ଏହା ଜାଣି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ 27 ବର୍ଷ ପୂର୍ବେ ସେ ମଧ୍ୟ ସିଟ୍ 11A ରେ ବସିଥିଲେ ଓ ବିମାନ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ।
ଡିସେମ୍ବର ୧୯୯୮ରେ ରୁଆଙ୍ଗସାକ୍ ଥାଇ ଏୟାରୱେଜ୍ ଫ୍ଲାଇଟ୍ TG ୨୬୧ରେ ଯାତ୍ରା କରୁଥିଲେ। ବିମାନଟି ଦକ୍ଷିଣ ଥାଇଲ୍ୟାଣ୍ଡରେ ଅବତରଣ କରିବାକୁ ଚେଷ୍ଟା କରୁଥିଲାଓ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୦୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦୧ ଜଣ ଯାତ୍ରୀଙ୍କ ମଧ୍ୟରୁ ସେ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ବଞ୍ଚି ଯାଇଥିଲେ। ସେ ମଧ୍ୟ ସିଟ୍ 11A ରେ ବସିଥିଲେ। ସେ କହିଥିଲେ ଯେ ଏହି ଦୁର୍ଘଟଣା ପରେ ମୁଁ ଏତେ ଆଘାତ ପାଇଥିଲି ଯେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ମୁଁ ବିମାନରେ ଯାତ୍ରା କରିନଥିଲି।
ଯେତେବେଳେ ଖବର ପ୍ରସାରିତ ହେଲା ଯେ କେବଳ ବିଶ୍ୱାସ କୁମାର ରମେଶ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଏୟାର ଇଣ୍ଡିଆ AI171 ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି ଓ ସେ ସିଟ୍ 11A ରେ ବସିଛନ୍ତି। ରୁଆଙ୍ଗସାକ୍ 11A ସିଟ୍ ର ନାମ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ଭାରତରେ ବିମାନ ଦୁର୍ଘଟଣାରୁ ବଞ୍ଚିଥିବା ବ୍ୟକ୍ତି ମଧ୍ୟ ସେହି ସିଟରେ ବସିଥିଲେ ଯେଉଁଠାରେ ମୁଁ ୨୭ ବର୍ଷ ପୂର୍ବେ ବସିଥିଲି । ସେ ଆହୁରି ଲେଖିଛନ୍ତି ଯେ ଏହି ଖବର ଶୁଣିବା ପରେ ମୋର ହୃଦୟ ଭାଙ୍ଗିଗଲା। ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା।

