ଭୁବନେଶ୍ବର: ଶୁଣୁନାହାନ୍ତି ସରକାର । ଅଣ୍ଟା ଭିଡିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଭାଙ୍ଗିବେ ଛତିଶଗଡ଼ର ବେଆଇନ ବାଲିବନ୍ଧ । ଲୋକେ ତାତିଲେ ବାହାରିବ କି ସମାଧାନର ବାଟ ? ଛତିଶଗଡ ମହାନଦୀରେ କରିଥିବା ବେଆଇନ ବାଲିବନ୍ଧକୁ ଭାଙ୍ଗିବ ମହାନଦୀ ବଞ୍ଚାଅ ଆନ୍ଦୋଳନ l ବେଆଇନ ବ୍ୟାରେଜ ପରେ ବେଆଇନ ବାଲିବନ୍ଧ କରି ମହାନଦୀ ପାଣି ଅଟକାଇଛି ଛତିଶଗଡ । ଯାହା ଫଳରେ ମହାନଦୀ ଶୁ୍ଖିଯିବା ସହ ଆଗକୁ ଓଡିଶାରେ ଜଳ ସଂଙ୍କଟ ଉତ୍କଟରୂପ ନେବ। ମହାନଦୀ ଉପରେ ଛତିଶଗଡ ସରକାର ବାରମ୍ବାର ଓଡିଶାର ହକକୁ ଅଟକାଉଥିବାରୁ ଏହା ବିରୋଧରେ ସ୍ବର ଉଠାଇଛି । ଛତିଶଗଡର ଏପରି ମନମୁଖୀ କାର୍ଯ୍ୟକାଳପ ବିରୋଧରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ l ହେଲେ ହତାଶ ହୋଇଥିଲା । ଏବେ ଗୁରୁବାର ମହାନଦୀ ବଞ୍ଚାଅ ଆନ୍ଦୋଳନ ବେଆଇନ ବାଲିବନ୍ଧ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଛତିଶଗଡ ସରକାର ଏପରି ବେଆଇନ ପଦକ୍ଷେପ ନେଇ ଓଡିଶାକୁ ହଇରାଣ କରୁଛନ୍ତି । ଯାହାର ଜବାବରେ ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି, ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଆପୋଷ ବୁଝାମଣା କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇ ସମାଧାନ ପ୍ରୟାସ ଜାରି ରହିଛି ।
ଅନ୍ୟପଟେ ମହାନଦୀ ଜଳ ବିବାଦର ସମାଧାନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ସେ ଅଭିଯୋଗ କରିଛନ୍ତି ଯେ ମହାନଦୀ ଜଳ ବିବାଦକୁ ନେଇ ସରକାର କିଛି ପଦକ୍ଷେପ ନେଲେ ନାହିଁ l ଲୋକେ ଧୀରେ ଧୀରେ ତାତିଲେଣି l ବର୍ତ୍ତମାନ ଟ୍ରିପଲ ଇଂଜିନ ସରକାର ଚାଲିଛି l ସବୁଠି ବିଜେପି ସରକାର l ତେଣୁ ତୁରନ୍ତ ଏ ସମସ୍ୟାର ସମାଧାନ କରନ୍ତୁ l ଆମେ ସରକାରଙ୍କୁ ଚେତାବନୀ ଦେଉଛୁ ମହାନଦୀ ସମସ୍ୟାର ସମାଧାନ ନକଲେ ଆଗକୁ ଜୋରଦାର ଲଢେଇ ହେବ l ବିଜେପି ସରକାର ଆସିବା ପରେ ଛତିଶଗଡ ଓଡିଶାକୁ ବାଲିବନ୍ଧ କରି ପାଣି ଅଟକାଇଛି l ଆଗକୁ ଲୋକେ ଏହା ବିରୋଧରେ ଜୋରଦାର ଲଢେଇ କରିବାକୁ ପ୍ରସ୍ତୁତ ହେଲେଣି l କାଲି ଏହାର ପ୍ରତିଫଳନ ଦେଖିବାକୁ ମିଳିବ Lପିସିସି ସଭାପତି ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ବିଜେପି ସରକାର ପ୍ରତାରଣା ଦେଇଛି ବୋଲି କଂଗ୍ରେସ କହିଛି । ଦୀର୍ଘଦିନ ଓଡିଶା ଓ ଛତିଶଗଡ ସରକାର ମଧ୍ୟମରେ ଜଳ ବିବାଦ ଲାଗିରହିଛି । କେନ୍ଦ୍ର ସରକାର ଚାହିଲେ ଚୁଟକିରେ ଜଳ ବିବାଦର ସମାଧାନ ହେବ ବୋଲି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ କହିଛନ୍ତି ।
ଅଣ୍ଟା ଭିଡିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ, ଭାଙ୍ଗିବେ ଛତିଶଗଡ଼ର ବେଆଇନ ବାଲିବନ୍ଧ

