ଅସମ୍ଭବ ହେଲା ସମ୍ଭବ, ଦୀର୍ଘ ୩୫ ବର୍ଷ ପରେ ଘରକୁ ଫେରିଲେ ଶ୍ୟାମସୁନ୍ଦର

ମାହାଙ୍ଗା : ମାହାଙ୍ଗା ବ୍ଲକ ଆଳୁନଟା ଗାଁର ଶ୍ୟାମସୁନ୍ଦର ପ୍ରଧାନଙ୍କର ଦୀର୍ଘ ୩୫ ବର୍ଷ ହେଲା କିଛି ଠିକ ଠିକଣା ନଥିଲା । ରୋଜଗାର କରିବାକୁ ଯାଇଥିଲେ ଯେ ଆଉ ଘରକୁ ଫେରିନଥିଲେ । ଘର ସହ ଯୋଗାଯୋଗରେ ବି ନଥିଲେ । ପରିବାର ଲୋକେ କେବେ ସେ ଫେରିବେ ବୋଲି ଚାତକ ଭଳି ଅନାଇ ବସିଥିଲେ । ଦୀର୍ଘ ୩୫ ବର୍ଷ ପରେ ସେ ନିଜ ଘରକୁ ଫେରିଛନ୍ତି । ୟା ଭିୟରେ ଅନେକ କିଛି ବଦଳି ଯାଇଛି । ନିଜ ବଡଭାଇ ଆରପାରିକୁ ଚାଲିଗଲେଣି । ଗାଁ ଚାଳ ଘର ସବୁ କୋଠା ହୋଇଯାଇଛି । ରାସ୍ତା ସବୁ ଓସାରିଆ କଂକ୍ରିଟ ହୋଇଯାଇଛି । ଗାଁ ମୁଣ୍ଡ ତ୍ରିନାଥ ମନ୍ଦିର ବି ଛାତ ଘର ହୋଇଯାଇଛି ।

ଶ୍ଯାମସୁନ୍ଦର ମାତ୍ର ୧୮ ବର୍ଷ ବୟସରେ ରୋଜଗାର କରିବାକୁ ସାଙ୍ଗମାନଙ୍କ ସହ ଦିଲ୍ଲୀ ଯାଇଥିଲେ । ଅନ୍ୟମାନେ କିଛିଦିନ ରହି ଘରକୁ ଫେରିଥିଲେ ହେଲେ ଶ୍ଯାମସୁନ୍ଦର ଫେରିନଥିଲେ । ସେଠାରୁ ସେ ଗାଜିଆବାଦ ଯାଇ ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ । ଘର ସହ ବି ତାଙ୍କର ଯୋଗାଯୋଗ ନଥିଲା । ଏବେ ୩୫ ବର୍ଷ ପରେ ଶ୍ଯାମସୁନ୍ଦର ଘରକୁ ଫେରିବା ପରେ ତାଙ୍କ ଘର ଆଗରେ ଲୋକଙ୍କ ଭିଡ ଲାଗିଛି । ସମସ୍ତେ ତାଙ୍କୁ ଦେଖି ବେଶ ଖୁସି ପ୍ରକାଶ କରୁଛନ୍ତି ।