ଆଡ଼ପ ମଣ୍ଡପରେ ଚାଲିଛି ନିତ୍ୟାରାସ, ସୋମବାର ବନକଲାଗି ନୀତି

ପୁରୀ: ଆଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କ ନିତ୍ୟାରାସ । ଆସନ୍ତାକାଲି ସୋମବାର ଆଷାଢ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ହେବାକୁ ଥିବାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ଆଜି ଆଡପ ଅବଢା ବାହାରିଥିବାବେଳେ ଶ୍ରଦ୍ଧାଳୁମାନ ଅବଢା ପାଇବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବ୍ୟାରିକେଡରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ ।

ଜନ୍ମବେଦିରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଛି ଆଡ଼ପ ଅବଢା । ସକାଳୁ ଦ୍ୱାରଫିଟା ନିତୀ ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତୀ , ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ ନୀତିକାନ୍ତି ଚାଲିଛି । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ୱ ରହିଛି ।

ଗତ ଦୁଇବର୍ଷ ଧରି ଭକ୍ତ ଏହି ଦର୍ଶନରୁ ବଞ୍ଚିତ ଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ମହାପ୍ରଭୁ ଜନ୍ମବେଦୀକୁ ବିଜେ କରିଛନ୍ତି  । ଏଥ ସହିତ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଆଡ଼ପ ଅବଢା ବାହାରିଛି  । ଭକ୍ତ ଆଡପ ଅବଢା ପାଇ କୃତାର୍ଥ ହୋଇଛନ୍ତି  । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ଶ୍ରୀକ୍ଷେତ୍ର  ।  ଏଥର ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ ।