ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୈତିକ ସଂକଟ, ବିଧାୟକଙ୍କ ସଦସ୍ୟତା ରଦ୍ଧ୍ ଉଦ୍ୟମ ବିରୋଧରେ ଆବେଦନ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ସଂକଟ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଶିବସେନାର ଉଦ୍ୟମ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏକନାଥ ସିନ୍ଦେ । ଏହାଛଡ଼ା ଅଜୟ ଚୌଧୁରୀଙ୍କୁ ଶିବସେନା ବିଧାୟକ ଦଳ ନେତା ନିଯୁକ୍ତି ଓ ଉପବାଚସ୍ପତି ନରହରି ଜିରଓ୍ୱାଲଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ସିନ୍ଦେ ଶିବିର । ଏଣେ ବିଦ୍ରୋହୀ ଶିବିରରେ ଥିବା ସିନ୍ଦେ ଓ ଅନ୍ୟ ମନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଚାର କରୁଛି ଶିବସେନା ।

ଏପଟେ ଅନାସ୍ଥା ଭୋଟ୍ ପାଇଁ ପ୍ରସ୍ତୁତ ହେଲେ ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ବିଧାୟକ । ସିନ୍ଦେ ଗୋଷ୍ଠୀର ବିଧାୟକ  କୌଣସି ବି ସମୟରେ ବିଧାନସଭାରେ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ । ହେଲେ ସର୍ତ୍ତ ରଖିଛନ୍ତି ଯେ, ଅନାସ୍ଥା ଭୋଟ୍ ସମୟରେ ପ୍ରଥମେ ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ସିନ୍ଦେ ଗୋଷ୍ଠୀଙ୍କୁ ଦେବା ଉଚିତ୍ । ବିଦ୍ରୋହୀ ବିଧାୟକ ମହାବିକାଶ ଅଘାଡି ସରକାରକୁ ଆଉ ଯିବେ ନାହିଁ । ବିଦ୍ରୋହୀ ଗୋଷ୍ଠୀଙ୍କ ସହ ଆଉ ଦୁଇ ଜଣ ବିଧାୟକ ସାମିଲ୍ ହେବେ ବୋଲି ସେମାନେ ଦାବି କରିଛନ୍ତି । ସେମାନଙ୍କ ସମର୍ଥନ ଏବଂ ନିର୍ଦ୍ଦଳୀୟ ବିଧାୟକଙ୍କୁ ମିଶାଇ ବିଦ୍ରୋହୀଙ୍କ ସଂଖ୍ୟା ବଳ ୫୧ରେ ପହଞ୍ଚିବ । ଆଗାମୀ ତିନି ଚାରି ଦିନରେ କୌଣସି ନିଷ୍କର୍ସରେ ପହଞ୍ଚିବା ସହ ମହାରାଷ୍ଟ୍ର ଯିବୁ ବୋଲି ବିଦ୍ରୋହୀ ବିଧାୟକ କହିଛନ୍ତି ।