ମହାରାଷ୍ଟ୍ରର ହାଇଭୋଲଟେଜ ସିଟ୍ ବାରମତିକୁ ନେଇ ଅଙ୍କକଷା

ମହାରାଷ୍ଟ୍ର: ମହାରାଷ୍ଟ୍ର ବାରମତି ଆସନ ଉପରେ ସାରା ଦେଶର ନଜର। ରାଜ୍ଯର ଏକ ମାତ୍ର ଆସନ ଭାବେ ଏଠାରେ ହେଉଛି ଦୁଇ ମହିଳାଙ୍କ ମଧ୍ୟରେ ସିଧାସଳଖ ଫାଇଟ। ଆଉ ସେହି ଦୁଇ ମହିଳା ହେଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ କନ୍ଯା ସୁପ୍ରିୟା ସୁଲେ ଏବଂ ଶରଦଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ଯମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ପାଓ୍ବାର। ଗତ ୨୭ ବର୍ଷ ଧରି ପାଓ୍ବାର ପରିବାରର ନେତୃତ୍ବରେ ରହିଆସିଥିବା ବାରମତି ଏବେ କିନ୍ତୁ ସୃଷ୍ଟି କରିଛି ରାଜନୈତିକ ହଟଚମଟ । ଏପରିକି ଶରଦ ପାଓ୍ବାରଙ୍କ ଲିଗାସୀ ଉପରେ ବି ଆଣିଛି ସସପେନ୍ସ। ଏନସିପି ସଭାପତି ଶରଦ ପାଓ୍ବାର ବାରମତିରୁ ୫ ଥର ଜିତିଥିବାବେଳେ ଝିଅ ସୁପ୍ରିୟା ସୁଲେ ୨୦୦୯ରୁ ଆଜି ଯାଏ ରହିଆସିଛନ୍ତି।

ତେବେ ଏନସିପି ବିଭାଜିତ ହେବା ପରେ ଏନସିପି(ଶରଦ ପାଓ୍ବାର) ଗୋଷ୍ଠୀରୁ ସୁପ୍ରିୟା ଲଢୁଥିବାବେଳେ ଏନସିପି(ଅଜିତ ପାଓ୍ବାର) ଗୋଷ୍ଠୀରୁ ଲଢୁଛନ୍ତି ସୁନେତ୍ରା ପାଓ୍ବାର । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁସାରେ ଅଜିତ ପାଓ୍ବାର ନେତୃତ୍ବାଧୀନ ବିଭାଜନକୁ ମୂଳ ଏନସିପି ଦର୍ଶାଯାଇଥିବାବେଳେ ତାଙ୍କୁ ଘଣ୍ଟା ଚିହ୍ନ ମିଳିଛି। ସେପଟେ ଶରଦଙ୍କ ଗୋଷ୍ଠୀକୁ ମିଳିଛି ତୂରୀ ବାଦନ ଚିହ୍ନ । ୨୦୧୯ରେ ସୁପ୍ରିୟା ୬ ଲକ୍ଷ ୮୦ହଜାର ଭୋଟ ପାଇଥିବାବେଳେ ବିଜେପିର କାଞ୍ଚନ ରାହୁଲ କୁଲ ପାଇଥିଲେ ୫ ଲକ୍ଷ ୩୦ ହଜାର ଭୋଟ । ସୋନିଆ ଗାନ୍ଧୀଙ୍କ ବିଦେଶିନୀ ପ୍ରସଙ୍ଗ ନେଇ ଶରଦ ପାଓ୍ବାର, ପି.ଏ. ସାଙ୍ଗମା ଓ ତାରିକ ଅନଓ୍ବରଙ୍କୁ କଂଗ୍ରେସରୁ ୧୯୯୯ ମେ ମାସରେ ବହିଷ୍କାର କରାଯିବା ପରେ ସେମାନେ ସେହି ବର୍ଷ ଜୁନରେ ଗଠନ କରିଥିଲେ ଏନସିପି । ସେହି ବର୍ଷଠାରୁ ଶରଦ ଏହାର ନେତୃତ୍ବ ନେଇଆସୁଥିଲେ। ମାତ୍ର ଗତବର୍ଷ ବିଭାଜିତ ହେବା ପରେ ଏପରିକି ନାମ ଓ ଚିହ୍ନ ତାଙ୍କ ହାତରୁ ଚାଲିଯାଇଥିଲା।