ଶ୍ମଶାନରେ ଶବ ଭିଡ: ମହାରାଷ୍ଟ୍ର, ଗୁଜୁରାଟରେ ସ୍ଥିତି ଗମ୍ଭୀର

ଭୁବନେଶ୍ୱର: ମୃତ୍ୟୁ ଅପେକ୍ଷାରେ ମଶାଣି। ଶବର ଆସିବା ବାଟକୁ ଯେମିତି ଚାହିଁ ରହିଛି ଶଶ୍ମାନ । କେଉଁଠି ଶବ ରଖିବାକୁ ସ୍ଥାନର ଅଭାବ ତ, ଆଉ କେଉଁଠି ଅକ୍ସିଜେନ ନେବାକୁ ବେଡର ଅଭାବ । ଦ୍ବିତୀୟ ପର୍ଯ୍ୟାୟରେ କରୋନା ଭାଇରସ ଭୟଙ୍କର ରୂପ ନେଲାଣି । କୋଭିଡ ଏବେ କିଛି ରାଜ୍ୟରେ ସାଂଘାତିକ ପରିସ୍ଥିତି ସୃଷ୍ଟି କଲାଣି । ଗୁଜୁରାଟରେ ଏହି ସ୍ଥିତି ଏପରି ଅବସ୍ଥାରେ ପହଞ୍ଚିଛି ଯେ ଶ୍ମଶାନରେ ଶବ ସଂସ୍କାର କରିବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି । ଆଉ ସଂକ୍ରମିତଙ୍କୁ ବେଡ ମିଳିବା ବି କଷ୍ଟସାଧ୍ୟ ହେଲାଣି । ଏହାରି ଭିତରେ ଏମିତି କିଛି ଚିତ୍ର ପୁଣି ଆସିଛି, ଯାହା ଆମ ସଭିଙ୍କୁ ଆନ୍ଦୋଳିତ କରିବା ସ୍ୱଭାବିକ ।

ଆପଣ ଦେଖୁଥିବା ଏ ଚିତ୍ର ମଧ୍ୟ ସେହି ସୁରତରୁ ଆସିଛି । ଜଣେ ବ୍ୟକ୍ତିଙ୍କ ପାଖରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ କଳସି ଥୁଆହୋଇଛି । ଆଉ ସବୁଥିରେ ନାଲି କପଡ଼ା ମଧ୍ୟ ବନ୍ଧା ହୋଇଛି । ଆପଣ ଜାଣନ୍ତି କି.., ଏହି କଳସି ମଧ୍ୟରେ ରହିଛି ମଣିଷ ଅସ୍ତି । ଆଉ ପ୍ରତିଟି ଅସ୍ତି ଜଣେ ଜଣେ କରୋନା ସଂକ୍ରମିତଙ୍କର । ହରିଦ୍ବାରରେ ବିସର୍ଜନ ହେବା ପୂର୍ବରୁ ସାଇତା ରହିଛି ସେମାନଙ୍କ ଅସ୍ତି । ଏମିତି ସ୍ଥିତି ହୋଇଛି ଯେ, ୨୪ ଘଣ୍ଟା ଚିତା ଜଳିବା ଫଳରେ ତରଳି ଯାଉଛି ଚିତା ଦାହ ହେଉଥିବା ଭାଟି। ଦୀର୍ଘ ସମୟ ଧରି ଶବଦାହ ହେଉଥିବାରୁ ଗ୍ୟାସ ଚୁଲାର କିଛି ଅଂଶ ତରଳି ଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ କେବଳ ସୁରତ ଜିଲ୍ଲାରେ ୨ ହଜାରରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗୋଟିଏ ଦିନରେ କେବଳ ସୁରଟ ସହରରୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣିବାକୁ ମିଳିଛି ।

ସେପଟେ ମହାରାଷ୍ଟ୍ରରେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇଛି। କରୋନା ଚେନ୍ ଭାଙ୍ଗିବାକୁ ମହାରାଷ୍ଟ୍ର ସରକାର ‘ବ୍ରେକ୍‌ ଦ ଚେନ୍’ ଅଭିଯାନ ଆରମ୍ଭ କରିଛନ୍ତି । ୧୫ ଦିନ ପାଇଁ ପୂରା ରାଜ୍ୟରେ ଲାଗୁ ହୋଇଛି ୧୪୪ ଧାରା । ତଥାପି କମୁନାହିଁ ସଂକ୍ରମିତଙ୍କ ସଂଖ୍ୟା। ଦିଲ୍ଲୀରେ ମଧ୍ୟ କୋଭିଡ ସ୍ଥିତି ଉଦବେଗଜନକ ହେଲାଣି । ପ୍ରତିଦିନ ବୃଦ୍ଧି ଘଟୁଛି ମୃତ୍ୟୁ ସଂଖ୍ୟା । ମୃତକ ପରିବାରର ବିକଳ ଚିତ୍ର କେବଳ ଦିଲ୍ଲୀ ନୁହେଁ ଦେଶବାସୀଙ୍କୁ ଆନ୍ଦୋଳିତ କରିଛି । ସରକାର ମଧ୍ୟ କୋଭିଡ କେସ କମାଇବା ପାଇଁ କର୍ଫ୍ୟୁ ଘୋଷଣା କରିଛନ୍ତି । ଶୁକ୍ରବାର ରାତି ୧୦ରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବା ନେଇ ଘୋଷଣା କରାଯାଇଛି ।

Leave a Reply