ଭୁବନେଶ୍ବରକୁ ରାଜଧାନୀ କରିଥିଲେ ନେହରୁ : ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର : ରାହୁଲଙ୍କ ପରେ ପରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଡବଲ ଇଞ୍ଜିନ ସରକାର କେବଳ ମିଥ୍ୟା ପ୍ରଚାରରେ ମାତିଛି । ଲୋକଙ୍କୁ ଭୂଆଁ ବୁଲାଉଛି । ଏବେ ରାଜ୍ୟ ସରକାର କେନ୍ଦ୍ର ପ୍ରରୋଚନାରେ ବିମାନବନ୍ଦର, ଖଣି ଆଦି ବିକ୍ରି କରାଯାଉଛି । ଶିଳ୍ପ ନାମରେ ଜଙ୍ଗଲ କଟାଚାଲିଛି । ସମ୍ବିଧାନକୁ ଧ୍ବଂସ କରିବାକୁ ଚାଲିଛି ଷଡ଼ଯନ୍ତ୍ର । ସମ୍ବିଧାନ ବଦଳିଲେ ଦେଶରେ ମୌଳିକ ଅଧିକାର କ୍ଷୁଣ୍ଣ ହେବ । ନେହରୁ, ମହାତ୍ମା ଗାନ୍ଧୀ ଯେଉଁ ଅଧିକାର ଦେଇଥିଲେ ତାହା ହଟିଯିବ । ମହାରାଷ୍ଟ୍ରରେ ଭୋଟ ଜାଲିଆତି ହୋଇଛି । ବିହାରରେ ୨ କୋଟି ଭୋଟରଙ୍କୁ ବାଦ୍ ଦେବା ଲାଗି ଷଡ଼ଯନ୍ତ୍ର ରଚାଯାଉଛି । ସମ୍ବିଧାନକୁ ବଞ୍ଚାଇବାକୁ ହେଲେ ସମସ୍ତଙ୍କୁ ଏକ ହେବାକୁ ପଡ଼ିବ ବୋଲି ଅପିଲ କରିଛନ୍ତି ଖଡଗେ । କଂଗ୍ରେସ ସରକାରରେ ଥିବାବେଳେ ଓଡ଼ିଶାରେ ନାଲକୋ, ଏନଟିପିସି ପ୍ରତିଷ୍ଠା ହୋଇଥିଲା । ଗୋଳବାରୁଦ କାରଖାନା ପ୍ରତିଷ୍ଠା ହୋଇଥିଲା । ଭୁବନେଶ୍ବରକୁ ରାଜଧାନୀ କରିଥିଲେ ନେହରୁ । ଓଡ଼ିଶାର ଲୋକଙ୍କ ସହ ସାଥୀ ହୋଇଚାଲିଛି କଂଗ୍ରେସ । କଂଗ୍ରେସ ଯୋଗୁଁ ଓଡ଼ିଶାରୁ ରାଷ୍ଟ୍ରାୟତ୍ତ ଉଦ୍ଯୋଗ ପ୍ରତିଷ୍ଠା ହୋଇଛି । ଲୋକଙ୍କ ଉନ୍ନତି ଲାଗି କଂଗ୍ରେସ ବହୁତ କିଛି କରିଛି । ୫୫ ବର୍ଷ କାଳ ଦେଶରେ କଂଗ୍ରେସ ସରକାର ଥିଲା । ୧୬୦ଟି ରାଷ୍ଟ୍ରାୟତ୍ତ ଉଦ୍ଯୋଗ ପ୍ରତିଷ୍ଠା ହୋଇଥିଲା । ୨୦୦୬ରେ ଜଙ୍ଗଲ ଆଇନ ଆଣିଥିଲେ ସୋନିଆ ଗାନ୍ଧୀ । ଗରିବଙ୍କୁ ରକ୍ଷା ଲାଗି ଜଙ୍ଗଲ ଆଇନ ଅଣାଯାଇଥିଲା । ଜଙ୍ଗଲ ଅଧିକାର ଲାଗି ଏଣିକି ଲଢେଇ କରିବାକୁ ହେବ ବୋଲି ଖଡଗେ ଆହ୍ବାନ ଦେଇଛନ୍ତି । ଦେଶକୁ ଏକ କରିବା ଲାଗି ଭାରତ ଯୋଡ଼ ଯାତ୍ରା ହୋଇଥିଲା । ଭାରତ ଯୋଡ଼ ଯାତ୍ରାକୁ ବହୁତ ସମର୍ଥନ ମିଳିଥିଲା । ଇଡି, ସିବିଆଇ, ଆଇଟିର ଅପବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର । ଏସବୁ ବିରୋଧରେ ଆନ୍ଦୋଳନ କରିବାକୁ ପଡିବ । ବଞ୍ଚିବାକୁ ହେଲେ ଡରିବାକୁ ହେବ ନାହିଁ ବୋଲି ଗର୍ଜନ କରି କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ।