ପଶ୍ଚିମବଙ୍ଗରେ ଧର୍ମଯୁଦ୍ଧ ନିର୍ବଚନ ପୂର୍ବରୁ ବିଜେପି-ଟିଏମ୍‌ସି ଖେଳିଲେ ହିନ୍ଦୁ କାର୍ଡ

1 min read
Mamata Banarjee Nomination

କୋଲକାତା: ପୂଜାର୍ଚ୍ଚନା ପରେ ନାମାଙ୍କନ ଦାଖଲ କଲେ ମମତା । ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଧର୍ମଯୁଦ୍ଧ । ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ହଳଦିଆଠାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମମତା ବାନାର୍ଜୀ । ବୁଧବାର ମମତା ଶିବ ମନ୍ଦିରରେ ପୂଜା କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବେଳେ ହନୁମାନ ମନ୍ଦିରରେ ପହଞ୍ଚିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ନିର୍ବାଚନୀ ଯୁଦ୍ଧ ପୂର୍ବରୁ ପଶ୍ଚିବଙ୍ଗରେ ଧର୍ମଯୁଦ୍ଧ ଆରମ୍ଭ ହୋଇଛି ।

ଅନ୍ୟପଟେ ପଶ୍ଚିମବଙ୍ଗରେ ହିନ୍ଦୁତ୍ୱ କାର୍ଡ ନ ଖେଳିବାକୁ ବିଜେପିକୁ କହିଛନ୍ତି ଦିଦି । ‘ନନ୍ଦିଗ୍ରାମରୁ ଖେଲୋ ହୋବେ’ ନାରା ଦେଇ ମମତା ବିଜେପିକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାରଠାରୁ ମମତା ନନ୍ଦିଗ୍ରାମଠାରେ ପହଞ୍ଚି ବୁଧବାର ଦଳୀୟ କର୍ମୀଙ୍କ ସହ ସିଦ୍ଧନାତ ଶୈବପୀଠରେ ଜଳାଭିଷେକ କରିଥିଲେ । ଏହାପରେ ବିରାଟ ପଦଯାତ୍ରାରେ ସାମିଲ ହୋଇ ଭୋଟ ଭିକ୍ଷା କରିଥିଲେ ମମତା । ପଦଯାତ୍ରା ପରେ ସେ ହଳଦିଆଠାରେ ନାମାଙ୍କନ ଦାଖଲ କରିଛନ୍ତି ।

ଏହାପୂର୍ବରୁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ହାଇପ୍ରୋଫାଇଲ୍ ସିଟ୍ ନନ୍ଦିଗ୍ରାମରେ ବିଜେପିକୁ ଟାର୍ଗେଟ କରି ଗର୍ଜିଛନ୍ତି ଦିଦି । ଏପ୍ରିଲରେ ନନ୍ଦିଗ୍ରାମବାସୀ ବିଜେପିକୁ ଏପ୍ରିଲ ଫୁଲ୍ କରିବେ ବୋଲି ମମତା କହିଛନ୍ତି । ନନ୍ଦିଗ୍ରାମ ମହାସଂଗ୍ରାମରେ ଦିଦିଙ୍କୁ କେହି ହରାଇପାରିବେ ନାହିଁ ବୋଲି ଦୃଢ଼ୋକ୍ତି ବାଢ଼ିଛି ଟିଏମ୍‌ସି । ନିର୍ବାଚନ ପୂର୍ବରୁ ବିଜେପି-ଟିଏମ୍‌ସି ମଧ୍ୟରେ ଛକାପଞ୍ଝା ଚାଲିଛି । ସେପଟେ ବିଜେପି ପକ୍ଷରୁ ନନ୍ଦିଗ୍ରାମ ପାଇଁ ଗୁରୁବାର ନାମାଙ୍କନ ଭରିବେ ଶୁଭେନ୍ଦୁ ଅଧିକାରୀ ବୋଲି ସୂଚନା ରହିଛି ।

ଅନ୍ୟପଟେ ମମତା ନାମାଙ୍କନ ଭରିଥିବା ବେଳେ ସନ୍ଧ୍ୟାରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି । ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ନନ୍ଦିଗ୍ରାମରେ ପ୍ରଚାର ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ । ୪ ଜଣ ଲୋକ ଅତର୍କିତ ତାଙ୍କ ଉପରେ ଆକ୍ରମଣ କରିଥିବା ମମତା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ନନ୍ଦିଗ୍ରାମର ବାରଲୁଆ ବଜାରରେ ମମତାଙ୍କ ଗୋଡ଼କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣ ବେଳେ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ନଥିବା ଅଭିଯୋଗ ହୋଇଛି । ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ମମତା କହିଛନ୍ତି । ସୁରକ୍ଷା ବ୍ୟବସ୍ଥା ନିମ୍ନମାନର ଥିବା ବେଳେ ସ୍ଥାନୀୟ ପୋଲିସ ମଧ୍ୟ ପାଖରେ ନଥିବା ମମତା ଅଭିଯୋଗ ଆଣିଛନ୍ତି । ପ୍ରତିବାଦରେ ମମତା ବାନାର୍ଜୀ ଆଜି ନନ୍ଦିଗ୍ରାମରେ ରାତି କାଟିବେ ବୋଲି କହିଛନ୍ତି ।

Leave a Reply