ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ: BMC

1 min read

ମୁମ୍ବାଈ: ‘ଦ ବ୍ରିହାନମୁମ୍ବାଇ ମୁନିସିପାଲ କର୍ପୋରେସନ୍‌’ ବା BMC ମାସ୍କ ପିନ୍ଧିବା ଉପରୁ କଟକଣା ଉଠାଇଛନ୍ତି । ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଯଦି କେହି ମାସ୍କ ପିନ୍ଧିନାହାଁନ୍ତି ତେବେ ଏହା ବାବଦରେ ଜୋରିମନା ମଧ୍ୟ ଦେବାକୁ ପଡ଼ିବ ନାହିଁ । ମହାମାରୀ ସଂପୂର୍ଣ୍ଣ ଭାବରେ ଯାଇ ନଥିବାରୁ ସମସ୍ତ ନାଗରିକଙ୍କୁ ମାସ୍କ ପିନ୍ଧିବାକୁ କେବଳ ଅନୁରୋଧ କରାଯାଇଛି । ଏହାଦ୍ୱାରା ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ । ତେବେ ଗତ ଦୁଇ ବର୍ଷ ଧରି ଏହି ପ୍ରକ୍ରିୟା ବିନା ତ୍ୱରାନ୍ୱିତରେ ଜାରି ରହିଥିଲା ଏବଂ ମାସ୍କକୁ ସର୍ବସାଧାରଣ ସ୍ଥାନରେ ବାଧ୍ୟତାମୂଳକ କରାଯାଇଥିଲା ।

ଚଳିତ ସମୟରେ କରୋନା ସଂକ୍ରମଣ କମ୍‌ ବ୍ୟାପୁଥିବା ଏବଂ ନିୟନ୍ତ୍ରଣରେ ଥିବା ହେତୁ କଟକଣାକୁ ପୂର୍ବାପେକ୍ଷା ସାମାନ୍ୟ କୋହଳ କରାଯାଇଛି । କିନ୍ତୁ ଯଦି କୗଣସି ନାଗରିକ ମାସ୍କ ପିନ୍ଧିନାହାଁନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୨୦୦ ଟଙ୍କା ଜୋରିମନା ଏବେ ଆଦାୟ କରାଯିବ ନାହିଁ । ଏହି ନିୟମ ଉପରୁ କଟକଣା ଉଠାଇ ଦେଇଛି ବିଏମସି । ଯାହା ନିଜେ ବିଏମସି ସୂଚନା ଦେଇଛି । ତେବେ ଏହି ନିୟମ ଏପ୍ରିଲ ମାସ ୨ ତାରିଖରୁ ଲାଗୁ କରାଯିବ ବୋଲି କହିଛି ମହାରାଷ୍ଟ୍ର ସରକାର ।

ଅନ୍ୟପଟେ ଇଉରୋପ, ଚୀନ୍‌ ଏବଂ ଅନ୍ୟ ଦେଶ ଗୁଡ଼ିକରେ କରୋନା ମହାମାରୀ ପୁନର୍ବାର କାୟା ବିସ୍ତାର କରୁଥିବା ହେତୁ ମହାରାଷ୍ଟ୍ର ସ୍ୱାସ୍ଥ୍ୟବନ୍ତ୍ରୀ ରାଜେଶ୍‌ ଟୋପେ ସମସ୍ତ ନାଗରିକଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି । ସଚେତନ କରିବା ସହ ସେ କହିଛନ୍ତିଯେ କୋଭିଡର କରାଳ ରୂପ ତୃତୀୟ ପର୍ଯ୍ୟାୟରେ ଆମେ ଦେଖିଛୁ । ତେଣୁ ଜାଣିଶୁଣି ଅଣଦେଖା କରିବା ଅନୁଚିତ୍‌ । ଏଭଳି ସ୍ଥିତିରେ ମୁହଁରୁ ମାସ୍କ ବାହାର କରିବା କଥା ଭାବିବା ଉଚିତ୍‌ ହେବ ନାହିଁ । କଟକଣା ଉଠିଥିଲେ ମଧ୍ୟ ସଚେତନତାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେବ କରୋନା ମହାମାରୀ ସାରା ବିଶ୍ୱକୁ କଲବଲ କରୁଛି । ଏବେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ସମସ୍ତେ ସଚେତନ ରହିବା ନିହାତି ଜରୁରୀ ।