ପାଖେଇ ଆସିଲାଣି ରଥଯାତ୍ରା, ଏଯାଏଁ ଗଠନ ହୋଇ ପାରିଲାନି ଶ୍ରୀମନ୍ଦିର ପରିଚାଳନା କମିଟି
1 min read
ପୁରୀ : କାହିଁକି ଏଯାଏ ପୁନର୍ଗଠିଚ ହୋଇନି ଶ୍ରୀମନ୍ଦିର ପରିଚାଳନା କମିଟି ? କେବେ ହେବ? କାହିଁକି ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୪ ହେଉଛି ଖୋଲା ଉଲଂଘନ? ରଥଯାତ୍ରା ଆସିଲାଣି । ଦୀର୍ଘ ୯ ମାସ ହେଲାଣି ସରକାର କଣ କରୁଛନ୍ତି । ଏପରି ମାଳ ମାଳ ପ୍ରଶ୍ନ ଏବେ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ । ଅଭିଯୋଗ ହୋଇଛି ଭାଗ ଛିଡ଼ୁନଥିବାରୁ ଗଠନ ହୋଇପାରୁନି ପରିଚାଳନା କମିଟି । ଗତବର୍ଷ ରଥଯାତ୍ରା ପରେ ଅଗଷ୍ଟ ମାସରେ ଶେଷ ଥର ପାଇଁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହା ପରେ ନୂତନ କମିଟି ବୈଠକ ଗଠନ ହେବା କଥା । କମିଟି ନ ଥିବାରୁ ଶ୍ରୀଜିଉଙ୍କ ଆର୍ଥିକ ପରିଚାଳନା ବଜେଟ୍ ନିଷ୍ପତ୍ତି ହୋଇପାରୁନି । ରଥଯାତ୍ରା ସହିତ ବିଭିନ୍ନ ଯାନିଯାତ୍ରା ପାଇଁ ଅର୍ଥ କିପରି ଖର୍ଚ୍ଚ ହେବ ତାକୁ ନେଇ ବି ନିଷ୍ପତ୍ତି ହୋଇପାରୁନି । ଆଇନମନ୍ତ୍ରୀ ଏ ଦିଗରେ ସବୁ ଜାଣି କାହିଁକି ଚୁପ?
ଶ୍ରୀମନ୍ଦିର ପରିଚାଳନା କମିଟି ହେଉଛି ଏକ ବୈଧାନିକ କମିଟି । ଜଗନ୍ନାଥଙ୍କ ଜମିଜମା ସମସ୍ୟା ହେଉ କି ଭକ୍ତଙ୍କ ଧାଡି ଦର୍ଶନ ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କମିଟି କରିଥାଏ । ସେହିପରି ଗୁରୁକୂଳ ଆଶ୍ରମ ନିର୍ମାଣ ନେଇ ଅନେକ ସମସ୍ୟାର ସମାଧାନ ହୋଇପାରୁନି । ଦଳୀୟ ଲୋକଙ୍କୁ କମିଟିରେ ରଖିବାକୁ ନେଇ ଅଙ୍କ ଛିଡ଼ୁନଥିବାରୁ କମିଟି ଗଠନ ନେଇ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ନୀତିକାନ୍ତି ପାରିତ ହୋଇ କାର୍ଯ୍ୟକାରୀ କରାଯାଉଛି l ହେଲେ କମିଟି ଗଠନ ନ ହେଲେ ରଥଯାତ୍ରା ଅନୁଷ୍ଠିତ ହେବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ବୈଧାନିକ କମିଟି ଗଠନରେ ବିଳମ୍ବ ହେଉଛି । ଏହି ସିଧାସିଧା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ।