ଗଣମାଧ୍ୟମ ସମ୍ପାଦକ ଓ ମାଲିକଙ୍କ ସହ ଆଲୋଚନା କଲେ 5T ସଚିବ

1 min read
Bolangir

ଭୁବନେଶ୍ୱର: ଆଗାମୀ ୨୧ ଦିନ ଓଡ଼ିଶା ପାଇଁ କରୋନା ମୁକାବିଲା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ୨୧ ଦିନର ଯୁଦ୍ଧକୁ ଯଦି ସଫଳ ଭାବେ ମୁକାବିଲା କରାଯାଇପାରିବ ତାହେଲେ ଓଡ଼ିଶାର ନାଁ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ । ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଇତିହାସର ରୂପରେଖ ବଦଳି ଯାଇଥିଲା । କିଛି ଦେଶ ବିକଶିତ, କିଛି ଦେଶ ବିକାଶମୁଖୀ ଓ କିଛି ଦେଶକୁ ତୃତୀୟ ବିଶ୍ୱ ବୋଲି ପରିଗଣିତ କରାଯାଇଥିଲା । ଏବେ ପୁଣି ସମୟ ଆସିଛି ଇତିହାସ ବଦଳାଇବାର । ତୃତୀୟ ବିଶ୍ୱର ଅନୁନ୍ନତ ରାଜ୍ୟ ଓଡ଼ିଶା ଏବେ ବିଶ୍ୱ ପାଇଁ ଉଦାହାରଣ ପାଲଟିବ ମହାମାରୀ ମୁକାବିଲା କ୍ଷେତ୍ରରେ । ଠିକ୍‌ ଯେମିତି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରାଯାଇଛି । ଆଜି ଖାରବେଳ ଭବନ ଠାରେ ବିଭିନ୍ନ ଗଣମାଧ୍ୟମର ସମ୍ପାଦକଙ୍କ ସହ ଆଲୋଚନା ବେଳେ ଏଭଳି ଆଶାବ୍ୟକ୍ତ କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ୍ ।

ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ପରେ ଖୋଲୁଛି ଦେଶର ତାଲା । ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ଅନଲକ୍‌ ପଛର ଉଦ୍ଦେଶ୍ୟ ହେଉଛି ଜୀବନଜୀବିକାର ଆବଶ୍ୟକତା । କିନ୍ତୁ ଜୀବିକା ଓ ଜୀବନ ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି କରିବା ପାଇଁ ଓଡ଼ିଶା ଅନଲକ ଫେଜ ୱାନରେ ମଧ୍ୟ କିଛି କଟକଣା ଜାରି କରିଛି । ଏହି ପରିପ୍ରେକ୍ଷୀରେ 5T ସଚିବ ଭି.କେ. ପାଣ୍ଡିଆନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକ ଓ ମାଲିକଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ କୁଟେ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ପାଣ୍ଡିଆନ୍‌ କହିଥିଲେ କରୋନା ମୁକାବିଲା ନେଇ ରାଜ୍ୟ ରଣନୀତିର ଗୋଟି ଗୋଟି କଥା । ଗଣମାଧ୍ୟମର ସମ୍ପାଦକମାନେ ନିଜ ପରାମର୍ଶ ଉପସ୍ଥାପନ କରିଥିଲେ ।

କରୋନା ଏକ ଚାଲାକ ଭିଲିଆନ ବୋଲି ପାଣ୍ଡିଆନ ବର୍ଣ୍ଣନା କରିବା ସହ ଏହାର ମୁକାବିଲା ଏକ ଦୁରୂହ ଆହ୍ଵାନ ବୋଲି କହିଥିଲେ । ପ୍ରବାସୀ ଶ୍ରମିକ ଫେରିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଆସନ୍ତା ୨୧ ଦିନ ଭିତରେ ପ୍ରବାସରୁ ଫେରିଥିବା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ସ୍ପଷ୍ଟ ହୋଇଗଲା ପରେ ଏ ଯୁଦ୍ଧର ଅବସାନ ଘଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ୨୧ ଦିନ ପରେ ପରିସ୍ଥିତିକୁ ନଜରରେ ରଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ସେହିଭଳି ରାତ୍ରୀକାଳୀନ କର୍ଫ୍ୟୁ କୋହଳ ନକରିବା ପଛର ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ, ଦୈନିକ ୮ରୁ ୧୦ ଘଣ୍ଟାର ଚେନ୍ ବ୍ରେକ କରିବାର ଆବଶ୍ୟକତା ରହିଛି ।

ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା ମଧ୍ୟ କରୋନା ମୁକାବିଲା କ୍ଷେତ୍ରରେ ଅଧିକ ଫଳପ୍ରଦ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସାଧାରଣତଃ ଶନିବାର ଓ ରବିବାର ବାହାରକୁ ଯିବା ଓ ମନୋରଞ୍ଜନ କରିବା ଆମ ସାମାଜିକ ଚରିତ୍ର । ଏହି ସମୟରେ ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ଆସନ୍ତା ୨୧ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ ଯେତେବେଳେ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ଖୋଲିବ । ତେବେ ସେଥିପାଇଁ ମଧ୍ୟ ସରକାର ରଣନୀତି ପ୍ରସ୍ତୁତ କରୁଥିବା ସେ ଆଶ୍ୱସନା ଦେଇଛନ୍ତି ।

କୋଭିଡ ସମୟରେ ଅନ୍ୟ ବିଭିନ୍ନ କ୍ଷେତ୍ର ଭଳି ଗଣମାଧ୍ୟମ ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ତେଣୁ, ଗଣମାଧ୍ୟମ କ୍ଷେତ୍ର କିଭଳି ପୁଣି ଅଣ୍ଟାସଳଖି ଠିଆ ହେବ ସେଥିପାଇଁ ସରକାର ପଦକ୍ଷେପ ନେବା ଲାଗି ବୈଠକରେ ଆଲୋଚନା ହୋଇଥିଲା । ସରକାର ଗଣମାଧ୍ୟମର ଏଭଳି ପରିସ୍ଥିତିକୁ ହୃଦୟଙ୍ଗମ କରିବା ସହ ସହଯୋଗ କରିବା ପାଇଁ ସରକାର ଉଦ୍ୟମ କରିବେ ବୋଲି 5T ସଚିବ କହିଥିଲେ । ଓଡ଼ିଶାରେ ପଜିଟିଭ ସଂଖ୍ୟା ୨ ହଜାର ଟପିଛି । ତେବେ ଅନ୍ୟ ରାଜ୍ୟର ପଜିଟିଭ ସଂଖ୍ୟା ୨ ହଜାର ଟପିବା ବେଳେ କେମିତି ପରିସ୍ଥିତି ଥିଲା ଓ ରାଜ୍ୟର ପରିସ୍ଥିତି କଣ ତାର ଏକ ତୁଳନାତ୍ମକ ଚିତ୍ର ମଧ୍ୟ ବୈଠକରେ ଉପସ୍ଥାପନ କରାଯାଇଥିଲା ।

Leave a Reply