ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ବସ୍ତାରେ ୫୦ ବଦଳରେ ରହୁଛି ୪୦ କିଲୋଗ୍ରାମ !

1 min read
Rice Scam

ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଅଭିଯୋଗ । ବଣ୍ଟନ ସମୟରେ ହେଉଛି ବାଟମାରଣା । ୫୦ କିଲୋ ବସ୍ତାରେ ୪୦ରୁ ୪୫ କିଲୋ ଚାଉଳ । ଓଜନ ମାପ ପରେ ସାମ୍ନାକୁ ଆସିଲା ସତ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳକୁ କରାଯାଉଛି ହଡ଼ପ । ୫୦ କିଲୋ ବଦଳରେ କେଉଁ ବସ୍ତାରେ ୪୦ କିଲୋ ତ କେଉଁ ବସ୍ତାରେ ୪୫ କିଲୋ ରହିଥିବା ଦେଖିବାକୁ ମିଳିଛି ।

ଏଭଳି ଦୁର୍ନୀତିର ପୁଳା ପୁଳା ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ଅତି ଚତୁରତାର ସହ ବାଟମାରଣା କରାଯାଉଥିବା ଦେଖିବାକୁ ମିଳିଛି । ରାତିର ଅନ୍ଧାରରେ କୁନି କୁନି ପିଲାଙ୍କ ଖାଦ୍ୟକୁ ଟ୍ରକରୁ ହଡ଼ପ କରାଯାଉଛି । ପ୍ରତି ବସ୍ତାରେ ୫୦ କିଲୋ ଚାଉଳ ବଦଳରେ ୪୦ରୁ ୪୫ କିଲୋ ରହିଛି । ଯାହାକୁ ନେଇ ସ୍କୁଲ ଶିକ୍ଷକ ପ୍ରତିବାଦ କରିବାରୁ ନାଲିଆଖି ଦେଖାଇଛି ଟ୍ରକ୍ ଡ୍ରାଇଭର ।

ଶୁକ୍ରବାର ସନ୍ଧ୍ୟା ସମୟରେ OD-01AB-1351 ମିନି ଟ୍ରକ, ବାସୁବେଦପୁର ବ୍ଲକର ମଙ୍ଗଳାପଦା ପ୍ରାଥମିକ ବିଦ୍ୟାଳୟ ଓ ଜଗନ୍ନାଥପୁର ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ କରିବାକୁ ଆସିଥିଲା । ମାତ୍ର ବଣ୍ଟନ ସମୟରେ ସ୍କୁଲ କର୍ତ୍ତୃପକ୍ଷ ବସ୍ତା ଓଜନ କରିବାରୁ ପ୍ରତ୍ୟେକ ବସ୍ତାରେ ୩ରୁ ୫ କିଲୋ କମ୍ ଚାଉଳଥିବା ଜଣାପଡିଛି । ଏନେଇ ବାରାପୁର କ୍ଲଷ୍ଟର ସିଆରସିସିଙ୍କୁ ପଚାରିବାରୁ ଚାଉଳ କମ୍ ଆସୁଥିବା ସ୍ୱୀକାର କରିଛନ୍ତି ।

ବାସୁଦେବପୁର ବ୍ଲକର ୨୯୫ ବିଦ୍ୟାଳୟର ୨୯ ହଜାର ୯୫୪ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ମାତ୍ର ଏହି ମଧ୍ୟାହ୍ନ ଭୋଜନ ଚାଉଳ ବାଟମାରଣା ସମସ୍ତଙ୍କୁ ଚକିତ୍ କରିଛି । ତେବେ ଏହି ଦୁର୍ନୀତିରେ କେବଳ ଡ୍ରାଇଭର ଲିପ୍ତ ରହିଛି ନା ଯୋଗାଣ ଏଜେଣ୍ଟଙ୍କ ସମ୍ପୃକ୍ତି ରହିଛି ତାହା ତଦନ୍ତ କଲେ ସାମ୍ନାକୁ ଆସିବ । ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply