ମୋହନ ଓ ମନମୋହନ ଯୋଡ଼ିଙ୍କ ଦିଲ୍ଲୀ ଗସ୍ତ ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଜୋର୍, କିଏ ଯିବ କିଏ ଆସିବ, ଛାତିରେ ଛନକା..
1 min read
ଭୁବନେଶ୍ବର: ମୋହନ ଓ ମନମୋହନ ଯୋଡ଼ି ହାତରେ ରାଜ୍ଯର ସରକାର ଓ ସଙ୍ଗଠନ ଦାୟିତ୍ବ । ଉଭୟଙ୍କ ଦିଲ୍ଲୀ ଗସ୍ତକୁ ନେଇ ପଲଟିକାଲ କରିଡରରେ ଖୁବ ଚର୍ଚ୍ଚା। ଖୁବ୍ ଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ନିଗମ ଓ ବୋର୍ଡ ନିଯୁକ୍ତି ପାଇଁ ଆଶାୟୀଙ୍କ ତାଲିକା ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ। ମନ୍ତ୍ରିମଣ୍ଡଳରେ କାହାକୁ ସାମିଲ କରାଯିବ, କାହାକୁ ବାଦ୍ ଦିଆଯିବ, ଏସବୁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟପାର। ହେଲେ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଏକାକୀ ନିଷ୍ପତ୍ତି ନେଇପାରିବେ ନାହିଁ। ମନ୍ତ୍ରିମଣ୍ଡଳଠାରୁ ଆରମ୍ଭ କରି ନିଗମ ଓ ବୋର୍ଡ଼ ନିଯୁକ୍ତିରେ ମିଳିତ ନିଷ୍ପତ୍ତି ନିଆଯିବ। ମୋହନ ମାଝୀ ଓ ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ଉପରେ ରହିଛି ସମସ୍ତଙ୍କ ନଜର। ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀରୁ ଜଣକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ନିଗମ, ବୋର୍ଡ଼ ନିଯୁକ୍ତି ପ୍ରକ୍ରିୟା ବି ତ୍ବରାନିତ ହୋଇଛି। ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପଦକୁ ନେଇ ଅଙ୍କକଷା ଚାଲିଥିବା ବେଳେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ବିଚାର ବିମର୍ଷ ପରେ ତାଲିକା ଚୁଡ଼ାନ୍ତ ହେବ।
ରାଜ୍ୟର ବିଜେପି ସରକାରକୁ ବର୍ଷେରୁ ଅଧିକ ସମୟ ହେଲାଣି। ଏବେ ବି ମନ୍ତ୍ରିମଣ୍ଡଳରେ ୬ ପଦ ଖାଲି ଅଛି। ନିଗମ ଓ ବୋର୍ଡ଼ ନିଯୁକ୍ତି ପାଇଁ ଆଶାୟୀଙ୍କ ଲମ୍ବା ତାଲିକା। ମହିଳା କମିଶନ, ଲୋକାୟୁକ୍ତ ନିଯୁକ୍ତ ହୋଇପାରି ନାହିଁ। ଜିଲ୍ଲା ସ୍ତରରେ ସରକାରୀ ଓକିଲ ବି ନିଯୁକ୍ତ ହୋଇ ନାହିଁ। ବିଧାୟକ, ପରାଜିତ ବିଧାୟକ ପ୍ରାର୍ଥୀ, ନିର୍ବାଚନ ନ ଲଢି ସଙ୍ଗଠନ କାମରେ ଥିବା ନେତା, ସମସ୍ତଙ୍କ ଆଶା ସରକାରୀ ପଦବୀଟେ ମିଳୁ। ସମସ୍ତଙ୍କୁ ଥଇଥାନ କରିବା, ସମସ୍ତଙ୍କୁ ସନ୍ତୁଷ୍ଟ କରିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସଭାପତି ମନମୋହନ ସାମଲଙ୍କ ପାଇଁ ନିଶ୍ଚିତ ଭାବେ ବଡ଼ ଆହ୍ବାନ। ସଙ୍ଗଠନ ଆଗ, ସରକାର ପଛ – ଏହି ନୀତିରେ ବିଜେପି ଆଗକୁ ବଢିବାକୁ ଚାହଁଛି। ଏଭଳି ସ୍ଥିତିରେ କାହାକୁ ମନ୍ତ୍ରୀ ପଦ ମିଳିବ, କିଏ ବାଦ୍ ପଡ଼ିବେ, କାହାକୁ ନିଗମ, ବୋର୍ଡ ଅଧ୍ୟକ୍ଷ ପଦ ମିଳିବ, ସେହି ନିଷ୍ପତ୍ତି ଉପରେ ହାଇକମାଣ୍ଡଙ୍କ ଗ୍ରୀନ ସିଗ୍ନାଲକୁ ଅପେକ୍ଷା କରାଯାଇଛି। ଦଳୀୟ ନେତାମାନଙ୍କୁ ନିଗମ ଓ ବୋର୍ଡ଼ରେ ଥଇଥାନ କରିବା ନୂଆ ସଭାପତିଙ୍କ ପାଇଁ ଯେତେ ବଡ଼ ଆହ୍ବାନ ନୁହେଁ- କାହାକୁ ମନ୍ତ୍ରୀ କରାଯିବ, ଏପିରିକି କାହାକୁ ବାଦ୍ ଦିଆଯିବ – ଏସବୁ ନିଷ୍ପତ୍ତି ନେବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ତାଠୁ ଅଧିକ କଠିନ। ମିଳିତ ନିଷ୍ପତ୍ତି ନେବା କଥା କୁହାଯାଉଥିଲେ ମଧ୍ୟ କେମିତି ସନ୍ତୁଳନ କରାଯିବ, ତାହା ମୋହନ-ମନମୋହନ ଯୋଡ଼ି ପାଇଁ ବଡ଼ ଚ୍ୟାଲେଞ୍ଜ।