ଭୁବନେଶ୍ବର : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସସପେନ୍ସ । ମୁହଁ ଖୋଲିଲେ ବିଜେପି ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆଶାୟୀଙ୍କ ଅପେକ୍ଷା । ବିଜେଡି କହିଲା ସରକାରରେ ସବୁ ଅଧାଗଢା । ୬ଟି ମନ୍ତ୍ରୀପଦ ଖାଲି, ଛିଣ୍ଡୁନି ନିଗମ ଓ ବୋର୍ଡ ଅଙ୍କ। ଏହାରି ଭିତରେ ମୋହନ ସରକାରଙ୍କୁ ବିତିଛି ୧୯ ମାସ । କେବେ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ତାହା ବି ସସପେନ୍ସରେ । ଯାହାକୁ ନେଇ ବିଜେପିରେ ନାନା ଚର୍ଚ୍ଚା ଆଉ ଆକଳନ ଲାଗି ରହିଛି । ବିଜେପି ବିଧାୟକ ମନୋରଂଜନ ଦ୍ୟାନ ସାମନ୍ତରାୟ କହିଛନ୍ତି, ମନ୍ତ୍ରିମଣ୍ଡଳ ଓ ନିଗମ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର । ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବେ ତାହାକୁ ସେ ତୁଲାଇବେ ବୋଲି କହିଛନ୍ତି ।
ନିୟମ ଅନୁସାରେ ମନ୍ତ୍ରିମଣ୍ଡଳରେ ୨୨ ଜଣ ସଦସ୍ୟ ରହିବା କଥା । ମୁଖ୍ୟମନ୍ତ୍ରୀଙ୍କ ସହ ବର୍ତ୍ତମାନ ୧୫ ଜଣ ସଦସ୍ୟ ଅଛନ୍ତି । ୬ଟି ମନ୍ତ୍ରିପଦ ୧୯ ମାସ ହେବ ଖାଲିପଡିଛି । ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବେ ଓ କାହାକୁ ବାଦ ଦେବେ ତାହାକୁ ନେଇ ପାଓ୍ବାର କରିଡରେ ଜୋରଦାର ଚର୍ଚ୍ଚା । ଏପରିକି ମନ୍ତ୍ରିମଣ୍ଡଳ ସଂପ୍ରସାରଣବେଳେ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ କରିପାରନ୍ତି ମୁଖ୍ୟମନ୍ତ୍ରୀ । ଏପରି ସ୍ଥିତିରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ଶାସକ ଦଳକୁ କଟାକ୍ଷ କରିଛନ୍ତି । ବିଜେପି ସରକାର ସବୁଥିରେ ବିଫଳ । ତେଣୁ ମନ୍ତ୍ରିମଣ୍ଡଳ ଓ ନିଗମ ନିଷ୍ପତ୍ତିରେ ମଧ୍ୟ ସମାନ ସ୍ଥିତି । ମନ୍ତ୍ରିମଣ୍ଡଳ ରେସରେ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ, ଅମର ନାୟକ, ମାନସ ଦତ୍ତ, ଜୟ ନାରାୟଣ ମିଶ୍ର, ମନୋରଂଜନ ଦ୍ୟାନ ସାମନ୍ତରାୟ , ବାବୁ ସିଂଙ୍କ ଆଦି ନାଁ ଚର୍ଚ୍ଚାରେ ଅଛି । ସେହିପରି ନିଗମ ଓ ବୋର୍ଡକୁ ନେଇ ମଧ୍ୟ ଦଳର ବହୁନେତାଙ୍କ ନାଁ ଚର୍ଚ୍ଚାରେ ରହିଛି ।

