ଦକ୍ଷିଣ ଓଡ଼ିଶାବାସୀଙ୍କ ଭରସା ଭାଙ୍ଗୁଛି ଏମକେସିଜି

ବ୍ରହ୍ମପୁର : ଦକ୍ଷିଣ ଓଡିଶାରେ ରୋଗୀଙ୍କ ଆଶା ଭରସାକୁ ଧୂଳିସାତ କରୁଛି ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ । ଦୈନିକ ହଜାର ହଜାର ଲୋକ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଏଠି ରୋଗୀଙ୍କୁ ମିଳୁନି ନିୟମିତ ପରିସ୍କାର ବେଡସିଟ୍ । ଗୋଟିଏ ବେଡସିଟ ଏକାଧିନ ଦିନ ଧରି ଗୋଟିଏ ବେଡରେ ପଡି ରହୁଛି । ୱାର୍ଡରୁ ମଧ୍ୟ ନିୟମିତ ଭାବେ ସଫେଇ ପାଇଁ ବେଡସିଟ ସଂଗ୍ରହ କରାଯାଉନି । ସପ୍ତାହର ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ରଙ୍ଗର ବେଡସିଟ ଦେବାର ନିୟମ ବି ରହିଛି । ଏଥିପାଇଁ ମାସକୁ ଲକ୍ଷାଧୂକ ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ହେଲେ ରୋଗୀଙ୍କୁ ମିଳୁନି ସଫା ବେଡସିଟ୍ । ଏକ ଘରୋଇ ସଂସ୍ଥାକୁ ନିୟମିତ ବେଡସିଟ ସଫେଇ ଦାୟିତ୍ବ ଦିଆଯାଇଛି । ସେହି ସଂସ୍ଥା ପକ୍ଷରୁ ପ୍ରତ୍ୟେକ ଦିନ ବେଡସିଟ ସଂଗ୍ରହ କରି ସଫା ବେଡସିଟ ଯୋଗାଯିବା କଥା । ହେଲେ ସଂପୃକ୍ତ ସଂସ୍ଥାର କର୍ମଚାରୀମାନେ ନିୟମିତ ବେଡସିଟ ସଂଗ୍ରହ କରୁନଥିବା ଅଭିଯୋଗ ହେଉଛି । ବେଡସିଟ ସଫେଇ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ଆଂଶିକା ସର୍ଭିସ୍ ଠିକାଦାର ଭୁବନେଶ୍ବରରେ ରହି ଅପେରେଟ କରୁଥିବାରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି ।

ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପ୍ରତିଦିନ ଦକ୍ଷିଣ ଓଡ଼ିଶା ତଥା ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଶହ ଶହ ରୋଗୀ ଉତ୍ତମ ଚିକିତ୍ସା ପାଇ ଆସିଥାନ୍ତି। ଆଉ ସେହି ତୁଳନାରେ ରୋଗୀଙ୍କୁ ବେଡ ଦିଆଯାଏ। ହେଲେ ରୋଗୀଙ୍କୁ ସଫା ବେଡସିଟ ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ଠିକାଦାରଙ୍କ କହିବା ଅନୁଯାଇ ପ୍ରତିଦିନ ୮୦୦ ଶହ ବେଡସିଟ ସଫେଇ ହେଉଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯଦି ୮୦୦ ଶହ ବେଡସିଟ ସଫେଇ ହେଉଛି ତାହାହେଲେ ରୋଗୀଙ୍କୁ ଠିକରେ ମିଳୁନାହଁ କାହିଁକି? ଏମକେସିଜି ମେଡିକାଲ କଲେଜର ଏଭଳି ଅବ୍ୟବସ୍ଥା ପାଇଁ ଧିରେ ଧିରେ ରୋଗୀ ଘରୋଇ ମେଡିକାଲ ମୁହାଁ ହେଉଛନ୍ତି ।