ଅଢେଇ ଘଣ୍ଟାର ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ୮ ମାସର ଶିଶୁପୁତ୍ର
1 min read
ବ୍ରହ୍ମପୁର : ନୂଆ ଜୀବନ ପାଇଁଲା ୮ ମାସର ଶିଶୁପୁତ୍ର । ଗଳାରୁ ବାହାରିଲା ମୁଣ୍ଡ ଆକୃତିର ମାଂସ ପିଣ୍ଡୁଳା । ବ୍ରହ୍ମପୁର MKCG ଶିଶୁ ଶଲ୍ଯ ବିଭାଗର ବିରଳ ଅସ୍ତ୍ରୋପଚାର । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ନଇରୀ ଗାଁର କାହ୍ନୁ ଚରଣ ବେହେରା ଓ ରୂପା ବେହେରାଙ୍କ ୮ ମାସର ଶିଶୁପୁତ୍ର ଆଶୀର୍ବାଦ । ଜନ୍ମରୁ ସିଷ୍ଟିକ ହାଇଗ୍ରୋମା ବା ଲିମ୍ପାଟିକ ସିଷ୍ଟି ରୋଗରେ ଆକ୍ରାନ୍ତ ଥିଲା । ଗଳା ଧୀରେ ଧୀରେ ଫୁଲି ମୁଣ୍ଡ ଆକାରର ଏକ ମାଂସ ପିଣ୍ଡୁଳା ଜମାଟ ବାନ୍ଧିଥିଲା । ଫଳରେ ଶିଶୁର ନିଃଶ୍ୱାସ ନେବାରେ ସମସ୍ୟା ହେବା ସହ ଖାଇପାରୁ ନଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାକୁ MKCGରେ ଭର୍ତ୍ତି କରିଥିଲେ ପରିବାର । ପରୀକ୍ଷା ପରେ ବିଭାଗୀୟ ମୁଖ୍ୟ ମାନସ ରଞ୍ଜନ ଦାସଙ୍କ ନେତୃତ୍ବରେ କରାଯାଇଥିଲା ଅପରେସନ । ଶିଶୁଟି ଏବେ ସୁସ୍ଥ ଥିବାରୁ ଖୁସି ପ୍ରକାଶ କରିଛନ୍ତି ଦମ୍ପତି।
ଅଢେଇ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ପରେ ଶିଶୁର ଗଳାରୁ ବାହାରିଛି ୧୨ ସେଣ୍ଟିମିଟରର ମାଂସ ପିଣ୍ଡୁଳା । ଜୁଗୁଲାର ଭେନକୁ ସୁରକ୍ଷିତ ରଖିବା ଡାକ୍ତରଙ୍କ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ । ଅସ୍ତ୍ରୋପଚାର ସମୟରେ କୌଣସି ଅସାବଧାନତା ଯୋଗୁଁ ଜୁଗୁଲାର ଭେନ କ୍ଷତିଗ୍ରସ୍ତ ହେଲେ ଶିଶୁଟି ବଞ୍ଚିବା କଷ୍ଟକର ହୋଇଥାନ୍ତା ବୋଲି କହିଛନ୍ତି ଡାକ୍ତର । ଟିମରେ ବିଭାଗର ଡାକ୍ତର ରାଜେନ୍ଦ୍ର ମିଶ୍ର, ଶ୍ରିଷ୍ଟି ବର୍ମା, ନିଶ୍ଚେତକ ବିଭାଗର ବିଷ୍ଣୁ ପ୍ରସାଦ ମହାପାତ୍ର, ବର୍ଷାରାଣୀ ବେହେରା, ନର୍ସିଂ ଅଫିସର ସ୍ଵର୍ଣ୍ଣଲତା ବେହେରା ଓ ପୂର୍ଣ୍ଣିମା ପ୍ରଧାନଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା କହିଛନ୍ତି ବିଭାର ମୁଖ୍ଯ ଡାକ୍ତର । ବିଭାଗର ଏକ ସ୍ବତନ୍ତ୍ର ଅସ୍ତ୍ରୋପଚାର ଗୃହ ନଥିବା ଯୋଗୁ ଅନେକ ଶିଶୁଙ୍କ ଅସ୍ତ୍ରୋପଚାରରୁ ବଞ୍ଚିତ ହେଉଛନ୍ତି । ତେଣୁ ଏଥିପ୍ରତି ଧ୍ଯାନ ଦେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।