ଆଜି ପୁଟିନଙ୍କୁ ଚୀନ ତିଆନଜିନରେ ଭେଟିବେ ମୋଦି

ନନ୍ଦିଘୋଷ ବ୍ୟୁରୋ : ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚୀନ ତିଆନଜିନରେ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୁଷରୁ ତୈଳ ଆମଦାନୀକୁ କେନ୍ଦ୍ର କରି ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ ଲାଗୁ ପରେ ପ୍ରଥମ ଥର ଲାଗି ପୁଟିନଙ୍କ ସହ ମୋଦିଙ୍କ ହେବ ଭେଟଘାଟ। ପୂର୍ବରୁ ଗତ ଶନିବାର ଯୁଦ୍ଧ ପ୍ରସଙ୍ଗରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ ମୋଦି। ଗତକାଲି ସାଂଘାଇ ସହଯୋଗ ସମ୍ମିଳନୀ ଅବସରରେ ତିଆନଜିନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିଲା ସହମତି।  ସୀମାଗତ ସଂହତି, ଆକ୍ରମଣଠାରୁ ଦୂରରେ ରହିବା, ସମାନତା, ପାରସ୍ପରିକ ସହଭାଗିତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଦୁଇ ନେତା ଗୁରୁତ୍ବ ଦେଇଥିଲେ। ସୀମାରେ ଶାନ୍ତିଠାରୁ ଆରମ୍ଭ କରି କୈଳାସ ମାନସରୋବର ଯାତ୍ରା ଆଦି ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।