ଗତ ଆଇପିଏଲରେ ଫ୍ଲପ୍ ହୋଇଥିଲେ, ଏବେ ଭାରତୀୟ ଦଳର ଷ୍ଟାର ବୋଲର

ନନ୍ଦିଘୋଷ ବ୍ୟୁରୋ: ମହମ୍ମଦ ସିରାଜ ନାଁ ତ ସମସ୍ତେ ଶୁଣିଥିବେ । ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନ ସବୁଠୁ ସଫଳ ବୋଲର । ତେବେ କଣ ଆପଣ ଜାଣିଛନ୍ତି କି ମହମ୍ମଦ ସିରାଜ ଦିନେ ଆଇପିଏଲରେ ଫ୍ଲପ ବୋଲିଂ କରିଥିଲେ । ଗତ ଆଇପିଏଲ ସିଜିନରେ ସେ ଖରାପ ବୋଲର ଭାବେ ସାବ୍ୟସ୍ତ ହୋଇଥିଲେ । ନିକଟରେ ଭାରତୀୟ ଟିମର ଦ୍ରୁତତମ ବୋଲର ମହମ୍ମଦ ସିରାଜ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ନିଜର ପୂରୁଣା ଲୟରେ ଦେଖିବାକୁ ମିଳିଥିଲେ ।

ସିରାଜ ନିଜର ଏହି ସଫଳତା ସମ୍ପର୍କରେ କହିଛନ୍ତି ଯେ ଗତ ବର୍ଷ ଆଇପିଏଲରେ ଭଲ ପ୍ରଦର୍ଶନ ନକରିପାରିବା ନିରାଶ କାରଣରୁ ସେ ସୀମିତ ଓଭରର ୱିକେଟ୍ ଉପରେ ଅଧିକ ଫୋକସ୍ କରିଥିଲେ, ଯାହାର ଫାଇଦା ଏବେ ମିଳୁଛି । ଜଶପ୍ରୀତ ବୁମରାହଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ ଗତ ଏକ ବର୍ଷ ହେବ ଦିନିକିଆରେ ଭାରତର ସବୁଠୁ ସଫଳ ବୋଲର ରହିଛନ୍ତି । ସିରାଜ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ୧୦ ଓଭରରେ ୩୨ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିଲେ ।

ଗତ ଆଇପିଏଲ ସିରିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ ପକ୍ଷରୁ ଖେଳିଥିବା ସିରାଜଙ୍କ ଖାତାରେ ୧୫ ମ୍ୟାଚରେ କେବଳ ୯ ୱିକେଟ୍ ଥିଲା । ସିରାଜ କହିଛନ୍ତି ଯେ ପରିବର୍ତ୍ତନ ଏଥିପାଇଁ ହୋଇଛି କାହିଁକି ନା ସେ ଆଇପିଏଲରେ ବିଫଳ ହେବା ପରେ ହ୍ୱାଇଟ୍ ବଲ କ୍ରିକେଟରେ ଲାଇନ ଏବଂ ଲେନ୍ଥ ଉପରେ ଫୋକସ୍ କରିଥିଲେ । ସେ ଆଗକୁ କହିଛନ୍ତି, ଯେତବେଳେ ଆଇପିଏଲ ସିଜିନ ଖରାପ ଯାଇଥିଲା ଏହାପରେ ମୁଁ ହ୍ୱାଇଟ ବଲ କ୍ରିକେଟ ଉପରେ ଫୋକସ୍ କରିବା ଆରମ୍ଭ କରିଦେଇଥିଲି ।

ମୁଁ ଏହା ଉପରେ ପରିଶ୍ରମ କରିଥିଲି ଏବଂ ମୋର ଆତ୍ମବିଶ୍ୱାସ ବଢ଼ିଥିଲା । ମୁଁ ନିଜର ପ୍ରଦର୍ଶନ ଚିନ୍ତା ଛାଡ଼ି ଦେଇଥିଲି । କେବଳ ଲାଇନ ଏବଂ ଲେନ୍ଥ ଉପରେ ଫୋକସ୍ ରଖିଥିଲି । ସେ କହିଛନ୍ତି ଯେ ଯେତେବେଳେ ସ୍ୱାଭାବିକ ଇନସ୍ୱିଙ୍ଗ ମିଳୁନଥିଲା ତେବେ ସେ ବଲକୁ ଆଉଟ୍ ସ୍ୱିଙ୍ଗ କରିବା ଆରମ୍ଭ କରିଦେଇଥିଲେ । ଏହା ଫଳପ୍ରଦ ହେବାକୁ ସମୟ ଅବଶ୍ୟ ଲାଗିଥିଲା । ଶ୍ରୀଲଙ୍କା ବିପକ୍ଷ ତିନୋଟି ଦିନିକିଆରେ ସେ ୯ ୱିକେଟ୍ ଅକ୍ତିଆର କରିଥିଲେ ।

ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ କହିବା ଅନୁସାରେ, ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଚମତ୍କାର ଫର୍ମ ଚଳିତ ବର୍ଷର ଶେଷ ଭାଗରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତ ପାଇଁ ଭଲ ସଙ୍କେତ ଅଟେ । କୋହଲି କହିଛନ୍ତି, ମହମ୍ମଦ ସାମୀ ତ ଅଛନ୍ତି କିନ୍ତୁ ଯେଉଁଭଳି ସିରାଜ ଖେଳୁଛନ୍ତି ଏବଂ ନୂଆ ବଲରେ ବୋଲିଂ କରୁଛନ୍ତି, ତାହା ଅତ୍ୟନ୍ତ ଉଚ୍ଚକୋଟୀର । ରୋହିତ ଶର୍ମା କହିଛନ୍ତି ସିରାଜଙ୍କ ବୋଲିଂ ଦେଖି ଭଲ ଲାଗିଲା । ସେ ଅପାର ପ୍ରତିଭାଶାଳୀ ଅଟନ୍ତି ଏବଂ ଗତ କିଛି ବର୍ଷ ହେବ ସେ ବହୁତ ଭଲ ଖେଳୁଛନ୍ତି ।