ମୋହନା : ନାହିଁ ନାହିଁରେ ଚାଲିଛି ସରକାରୀ ବିଦ୍ୟାଳୟ । ସ୍କୁଲରେ ନା ଅଛି ଆବଶ୍ୟକୀୟ ଶ୍ରେଣୀ ଗୃହ ନା ଅଛି ଶୌଚାଳୟ । ବିଷୟ ଭିତ୍ତିକ ଶିକ୍ଷକ ବି ନାହାନ୍ତି । ଗଜପତି ଜିଲ୍ଲାର ଚାନ୍ଦିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗି ରହିଛି ବ୍ୟାପକ ଅବ୍ୟବସ୍ଥା । ବିଦ୍ୟାଳୟରେ ପାଖାପାଖି ୫ ଶହ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୩ ଜଣ ଶିକ୍ଷକ ଓ ୬ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ବିଦ୍ୟାଳୟ ଟି ୨୦୨୩- ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲା । ୨୦୨୫ ମସିହାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଥାନ୍ତା । ହେଲେ ବିଦ୍ୟାଳୟର ଭିତ୍ତିଭୂମି ଠିକ ନଥିବାରୁ ତାହା କେବଳ ଚିଠିରେ ରହିଯାଇଛି ।
ବିଦ୍ୟାଳୟରେ ପିଲାଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ । ପାଚେରୀ ନଥିବାରୁ କିଛି ଅସାମାଜିକ ଲୋକ ବିଦ୍ୟାଳୟ ଜାଗାକୁ ଜୋର ଜବରଦସ୍ତି ଅକ୍ତିଆର କରି ନେଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ବିଦ୍ୟାଳୟ ପାଚେରୀ ନିର୍ମାଣ ହୋଇପାରୁନି । ଅନେକ ସମୟରେ ବିଦ୍ୟାଳୟକୁ ଜୀବଜନ୍ତୁ ପଶି ଆସୁଛନ୍ତି । ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟା ସଂପର୍କରେ ପ୍ରଧାନ ଶିକ୍ଷକ ଅନେକ ଥର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ବି ହେଲେ ଫଳ ଶୂନ । ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି କେବେ ସୁଦୃଢ ହେବ ? ତାକୁ ହିଁ ଅପେକ୍ଷା ।

