ଯୁବତୀଙ୍କ ପାଇଁ ଅଶ୍ଲୀଳ ଗୀତ ଗାଇ ଅଡୁଆରେ ଶଙ୍କର ଓମ ସରନମ୍, ଥାନାରେ ମାମଲା

କୋରାପୁଟ: ଅଶ୍ଳୀଳ ଗୀତକୁ ନେଇ ତେଜୁଛି ବିବାଦ । ବିଶେଷକରି କୋରାପୁଟ ନବରଙ୍ଗପୁର ଜିଲ୍ଲାରେ ମହିଳା ମାନେ ଏହି ଗୀତକୁ ନେଇ ଆପତ୍ତି ଉଠାଇଛନ୍ତି । ଏହାପୂର୍ବରୁ ଗୀତକୁ ନେଇ କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ୭ଟି ମାମଲା ରୁଜୁ ହୋଇଛି । ଆଜି ଜୟପୁର କଳାକାର ସଂଘ ଓ କିଛି ସ୍ବେଚ୍ଛାସେବୀ ସଂଗଠନର ମହିଳା ମାନେ ଏସପି ଓ ଜିଲ୍ଲାପାଳୁଙ୍କ ଭେଟି ଅଭିଯୋଗ କରିଛନ୍ତି ।

ଏହି ଅଶ୍ଳୀଳ ଗୀତ ଭାଇରାଲ କରିଥିବା ଯୁବକ ଶଙ୍କର ଓମ ଶରନମଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ଯଦି ପୋଲିସ କିଛି ପଦକ୍ଷେପ ଗ୍ରହଣ ନକରେ ତେବେ ଆଗାମୀ ଦିନରେ ମହିଳା ସଂଗଠନ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହା ରାଜ୍ୟର ମହିଳା ମାନଙ୍କ ପ୍ରତି ଅପମାନ ବୋଲି କହିଛି କଳାକାର ସଂଘ ।

ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି ଯେ, ଏହି ବିଷୟ ନେଇ ଏସପିଙ୍କ ସହିତ ଆଲୋଚନା କରାଯାଇଛି । ଆଇନ ଅନୁଯାୟୀ ଗୀତ ଗାଇଥିବା ବାଲେଶ୍ବର ଜିଲ୍ଲାର ଶଙ୍କର ଓମ ସରନଙ୍କୁ ବିରୋଧରେ ପଦକ୍ଷେପ ନିଆଯିବ । ଗତ କିଛିଦିନ ହେଲା ଏହି ଗୀତ ଭାଇରାଲ ହୋଇଛି । ଏଥିରେ କୋରାପୁଟ ଝିଅଙ୍କୁ ଇଙ୍ଗିତ କରାଯାଇଥିବା ଅଭିଯୋଗ ହୋଇଛି ।