spot_img

Latest Posts

ଅମିତ ଶାହଙ୍କ ସହ ଜଡ଼ିତ ମାନହାନି ମାମଲାରେ ରାହୁଲ ଗାନ୍ଧୀ ଦୋଷମୁକ୍ତ

ନନ୍ଦିଘୋଷ ବ୍ୟୁରୋ:  ଉତ୍ତର ପ୍ରଦେଶର ସୁଲତାନପୁର କୋର୍ଟ ଅମିତ ଶାହଙ୍କ ସହ ଜଡ଼ିତ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ମାନହାନି ବୋଲି ବିବେଚନା କରାଯାଇପାରିବ ନାହିଁ। ୨୦୧୮ରେ ଦାୟର ହୋଇଥିବା ଏହି ମାମଲାରେ ପ୍ରାୟ ୮ ବର୍ଷ ପରେ ରାୟ ଆସିଛି।

ସୁଲତାନପୁରର ସାଂସଦ-ବିଧାୟକ କୋର୍ଟର ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଶୁଭମ ବର୍ମା ଏହି ରାୟ ଶୁଣାଇଛନ୍ତି। ରାୟ ଶୁଣାଯିବା ସମୟରେ ରାହୁଲ ଗାନ୍ଧୀ କୋର୍ଟରେ ଉପସ୍ଥିତ ଥିଲେ।

ଏହି ମାମଲା ୨୦୧୮ ମସିହାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ଦେଇଥିବା ଏକ ବୟାନକୁ ନେଇ ହୋଇଥିଲା। ସେତେବେଳେ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ରାହୁଲ ଗାନ୍ଧୀ କହିଥିଲେ ଯେ ବିଜେପିର ଅଧ୍ୟକ୍ଷ ଜଣେ ହତ୍ୟା ଅଭିଯୁକ୍ତ। ଏହି ବୟାନକୁ ନେଇ ବିଜେପି ନେତା ବିଜୟ ମିଶ୍ର ୪ ଅଗଷ୍ଟ ୨୦୧୮ରେ ସୁଲତାନପୁର କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ଏହି ବୟାନ ସୋହରାବୁଦ୍ଦିନ ଶେଖଙ୍କ ଏକ ଏନକାଉଣ୍ଟର ମାମଲା ସହ ଜଡ଼ିତ ଥିଲା। ଏହି ମାମଲାରେ ଅମିତ ଶାହଙ୍କୁ ୨୦୧୪ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷମୁକ୍ତ କରିଥିଲେ।

ଦୀର୍ଘ ଦିନ ଧରି ମାମଲା ଚାଲିବା ପରେ ୨୭ ନଭେମ୍ବର ୨୦୨୩ରେ ସୁଲତାନପୁର କୋର୍ଟ ରାହୁଲ ଗାନ୍ଧୀଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲେ। ୨୦ ଫେବୃଆରୀ ୨୦୨୪ରେ କୋର୍ଟରେ ହାଜର ହେବା ପରେ ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଥିଲା। ଜୁଲାଇ ୨୦୨୪ରେ ସେ କୋର୍ଟରେ ନିଜର ବୟାନ ରେକର୍ଡ କରାଇଥିଲେ। ସେ ନିଜ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଥିବା କହିଥିଲେ।

ମାମଲାର ଶୁଣାଣି ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ସାକ୍ଷୀ ଓ ପ୍ରମାଣ ଉପସ୍ଥାପନ କରାଯାଇଥିଲା। ରାହୁଲ ଗାନ୍ଧୀଙ୍କ ସ୍ୱର ନମୁନାକୁ ରେକର୍ଡିଂ ସହ ମେଳ କରିବା ପାଇଁ ମଧ୍ୟ ଆବେଦନ କରାଯାଇଥିଲା। କିନ୍ତୁ ଟ୍ରାଏଲ୍ କୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ। ଏହା ବିରୋଧରେ କରାଯାଇଥିବା ପରବର୍ତ୍ତୀ ଆବେଦନ ମଧ୍ୟ ଖାରଜ ହୋଇଥିଲା।

ରାହୁଲ ଗାନ୍ଧୀ ଦୋଷମୁକ୍ତ ହେବା ପରେ କୋର୍ଟ ବାହାରେ କଂଗ୍ରେସ କର୍ମୀମାନେ ଖୁସି ପ୍ରକାଶ କରିଥିଲେ। ସେମାନେ ଆତସବାଜି ଫୁଟାଇବା ସହ ମିଠା ବାଣ୍ଟିଥିଲେ।

ରାୟ ପରେ ରାହୁଲ ଗାନ୍ଧୀ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ। ସୁଲତାନପୁର ଯିବା ବାଟରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ତାଙ୍କ କାଫିଲାର କିଛି ଗାଡ଼ି ଓ ଏକ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇଥିବା ଖବର ଆସିଥିଲା। ଏହି ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇନଥିବା ରିପୋର୍ଟରେ କୁହାଯାଇଛି।

କୋର୍ଟଙ୍କ ରାୟ ପରେ ଏହି ମାମଲାରେ ଟ୍ରାଏଲ୍ କୋର୍ଟର କାର୍ଯ୍ୟ ଶେଷ ହୋଇଛି। ତେବେ ଅଭିଯୋଗକାରୀ ଚାହିଁଲେ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ।

 

 

Latest Posts

Don't Miss