ଅଭାବ ହେବନି ମାଆ କ୍ଷୀର, ପ୍ରତିଷ୍ଠା ହେଲା ରାଜ୍ୟର ପ୍ରଥମ ମାଆ କ୍ଷୀର ଭଣ୍ଡାର

1 min read
Mother Milk Bank Opened In Capital Hospitals

ଭୁବନେଶ୍ୱର: ମାଆ କ୍ଷୀର, ଶିଶୁ ପାଇଁ ଅମୃତ । ଏହାର ଅଭାବରୁ ଶିଶୁର ଅଭିବୃଦ୍ଧିରେ ସମସ୍ୟା ଦେଖାଦିଏ । ହେଲେ ଆଉ ଏହି ଅମୃତର ଅଭାବ ହେବନାହିଁ । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ ମାଆ କ୍ଷୀର ଭଣ୍ଡାର । ଅତ୍ୟାଧୁନିକ ପ୍ରକ୍ରିୟାରେ କ୍ୟାପିଟାଲ ହସ୍ପିଟାଲରେ ସଂଗ୍ରହ କରାଯାଉଛି ମାଆ କ୍ଷୀର । ଆଗକୁ ଅନ୍ୟାନ୍ୟ ଡାକ୍ତରଖାନାକୁ ରକ୍ତ ଭଣ୍ଡାର ଭଳି କ୍ଷୀର ଭଣ୍ଡାରରୁ ପଠାଯିବ ମାଆ କ୍ଷୀର ।

Mother Milk Bank Opened In Capital Hospitals

ଭୁବନେଶ୍ୱରରେ ଦେଶର ୩୨ତମ ମାତୃ କ୍ଷୀର ଭଣ୍ଡାର ପ୍ରତିଷ୍ଠା ହୋଇଛି । ଏଠାରେ ୬ ମାସ ପର୍ଯ୍ୟନ୍ତ ୨୦୦ ଲିଟର କ୍ଷୀର ସଂରକ୍ଷିତ ରହିପାରିବ । କ୍ଷୀର ଦାନ କରି ନବଜାତଙ୍କ ଜୀବନ ବଞ୍ଚାଇବାକୁ ମାଆ ମାନଙ୍କୁ ସଚେତନ କରାଯାଉଛି । ମାଆ କ୍ଷୀର ଅଭାବରୁ ପିଲାଙ୍କ ଠାରେ ଅପପୁଷ୍ଟି ରୋଗ ଦେଖିବାକୁ ମିଳୁଥିବା ବେଳେ ଅନେକ ପିଲା ଏଥିରୁ ବଞ୍ଚିତ ହେଉଛନ୍ତି । ଏହାକୁ ଆଧାର କରି କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ ମିଲ୍କ ବ୍ୟାଙ୍କ । ପାଶ୍ଚରାଇଜ ଉପାୟରେ -୨୦ଡିଗ୍ରୀ ସେଣ୍ଟିଗ୍ରେଡରେ ୬ ମାସ ପର୍ଯ୍ୟନ୍ତ ରହିପାରିବ ଏହି କ୍ଷୀର । ନୂଆକରି ଆରମ୍ଭ ହୋଇଥିବା ଏହି ମାତୃ କ୍ଷୀର ଭଣ୍ଡାରରେ ମାତ୍ର ୩୫ ଜଣ ମାଆ କ୍ଷୀର ଡୋନେଟ କରିଥିବା ବେଳେ ୭୦ଜଣ ପିଲାଙ୍କ କାମରେ ଆସିଲାଣି ।

Mother Milk Bank Opened In Capital Hospitals

କ୍ୟାପିଟାଲ ହସ୍ପିଟାଲରେ ୭୦ ପ୍ରତିଶତ ନବଜାତ ଶିଶୁ ବିଭିନ୍ନ କାରଣରୁ ମାଆ କ୍ଷୀରରୁ ବଞ୍ଚିତ ହୁଅନ୍ତି । ସାଧାରଣତଃ ସିଜରିଆନ ପରେ ମାଆମାନେ ତୁରନ୍ତ ପିଲାଙ୍କୁ କ୍ଷୀର ଦେବାରେ ଅସମର୍ଥ । ଏଣୁ ଡବା କ୍ଷୀର ପିଅନ୍ତି ନବଜାତକ । ଫଳରେ ପିଲାଙ୍କ ଠାରେ ଅନେକ ସମୟରେ ଅନେକ ରୋଗ ପରିଲକ୍ଷିତ ହେଉଛି । ଏହି କ୍ଷେତ୍ରରେ ମିଲ୍କ ବ୍ୟାଙ୍କ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । ମିଲ୍କ ବ୍ୟାଙ୍କରେ ମହିଳାମାନଙ୍କୁ ପ୍ରଥମେ କାଉନସିଲିଂ କରିବା ପରେ ହେପାଟାଇଟିସ, ଏଚ.ଆଇ.ଭି ଭଳି କିଛି ଟେଷ୍ଟ କରାଯାଉଛି । ଏହା ପରେ ତାଙ୍କର କନସେଣ୍ଟ ନେଇ ମେସିନ୍ ସାହାଯ୍ୟରେ କ୍ଷୀର ସଂଗ୍ରହ ପରେ ଏହାକୁ ପ୍ରୋସେସିଂ କରି ସଂରକ୍ଷିତ କରାଯାଉଛି । ରକ୍ତ ଭଣ୍ଡାର ଭଳି ମାତୃ କ୍ଷୀର ଭଣ୍ଡାରରେ ସଂରକ୍ଷିତ ରହିବ କ୍ଷୀର । ଆବଶ୍ୟକ ସ୍ଥଳେ ଅନ୍ୟ ଡାକ୍ତରଖାନା ଗୁଡ଼ିକୁ କ୍ୟାପିଟାଲ ହସ୍ପିଟାଲରୁ କ୍ଷୀର ପଠାଯିବ ।