ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଭତ୍ସ ହତ୍ୟା, ଅଭିଯୁକ୍ତ ହୋଇଗଲା ଫେରାର

ଭୁବନେଶ୍ୱର: କରୋନା କାଳରେ ବଢ଼ିବାରେ ଲାଗିଛି ଆତଙ୍କର ସାମ୍ରାଜ୍ୟ । ଲୁଟପାଟ ଠାରୁ ଆରମ୍ଭକରି ହତ୍ୟା, ସବୁକ୍ଷେତ୍ରରେ ମିଳୁଛି ପୋଲିସକୁ ଚ୍ୟାଲେଞ୍ଜ । କରୋନା ଭିତରେ ରାଜଧାନୀ ଦେଖୁଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ । ପୁଣି ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ରାଜଧାନୀର ସାମନ୍ତରାପୁରରେ ହତ୍ୟାକାଣ୍ଡର ଲାଇଭ ଦୃଶ୍ୟ ମନରୁ ନ ଲିଭୁଣି ହୋଇଛି ଆଉ ଏକ ହତ୍ୟା ।

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସହଯୋଗୀ ଶ୍ରମିକଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କଲେ ଅନ୍ୟ ଜଣେ ଶ୍ରମିକ । ମୃତକ ହେଉଛନ୍ତି ମୟୂରଭଞ୍ଜର ବୁଧୁରାମ ସିଂ । ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ସହିଦନଗର ଥାନା ପୋଲିସ ପହଞ୍ଚିଥିଲା । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଥିଲା ପୋଲିସ ।

ହତ୍ୟାକାରୀକୁ ଧରିବା ଲାଗି ୩ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ । କ୍ୟାମ୍ପସରେ ନିର୍ମାଣ ହେଉଥିବା ନ୍ୟୁ ବିଲ୍‌ଡିଂ କାର୍ଯ୍ୟରେ ଉଭୟ ଶ୍ରମିକ ନିୟୋଜିତ ଥିଲେ । ଗତ ୧୫ ଦିନ ହେଲା ବିଭିନ୍ନ କାରଣରୁ ଉଭୟ ଶ୍ରମିକଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା ।

Leave a Reply