Myanmar coup: ସେନାର କ୍ଷମତା ଦଖଲ ବିରୋଧରେ ମିଆଁମାର ଜନତାଙ୍କ ଜୋରଦାର୍ ପ୍ରଦର୍ଶନ

ନୂଆଦିଲ୍ଲୀ: ମିଆଁମାରରେ ରାତାରାତି ନିର୍ବାଚିତ ସରକାରକୁ କ୍ଷମତାଚ୍ୟୁତ କରିଛି ସେନା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ୍ ସାନ୍ ସୁ ସମେତ ଅନେକ ନେତା ଏବେ ସେନା ହେପାଜତରେ। ଏବେ ଦେଶର ନାଗରିକମାନେ ସେନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ମିଆଁମାରରେ ବର୍ତ୍ତମାନ ନାଗରିକ ସେନା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଦେଶକୁ ଗଣତନ୍ତ୍ର ଆସିବା ବେଳେ ସେନା ନିଜ ସ୍ୱାର୍ଥ ରକ୍ଷା ପାଇଁ ସମ୍ବିଧାନର ବ୍ୟବସ୍ଥା କରିଥିଲା। ଏହି ବ୍ୟବସ୍ଥା ଅନୁସାରେ ସେନା ପାଇଁ ସଂସଦରେ ୨୫ ପ୍ରତିଶତ ଆସନ ସଂରକ୍ଷିତ ଥିଲା । ଅର୍ଥାତ ବିନା ସେନା ସମର୍ଥନରେ ସରକାର ଚାଲିବା ଅସମ୍ବବ । କିନ୍ତୁ ୨୫ ପ୍ରତିଶତ ବଦଳରେ ୧୦୦ ପ୍ରତିଶତ ସରକାର ଚାହୁଁଥିବା ମିଆଁମାର ସେନା ନିକଟରେ ସାମରିକ ବିଦ୍ରୋହ ଦ୍ୱାରା କ୍ଷମତା ଦଖଲ କରିଛି । ତେବେ ଏହାକୁ ସହଜରେ ନେଇ ନାହାନ୍ତି ମିଆମାର ଜନତା।

ଗତ ଦୁଇ ଦିନ ଧରି ମିଆଁମାରରେ ଅଲଗା ଧରଣର ପ୍ରଦର୍ଶନ ଚାଲିଛି। ନାଗରିକ ରାସ୍ତା ଉପରେ ତାଳି ମାରିବା ସହ ଥାଳି ପିଟି ଓ ହର୍ଣ୍ଣ ବଜାଇ ପ୍ରୋଟେଷ୍ଟ କରିଛନ୍ତି। ଏହାକୁ ସେନା ବିରୋଧରେ ନଏଜ୍ ପ୍ରୋଟେଷ୍ଟ୍ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ଲୋକମାନେ ଘର ବାଲକୋନିରୁ ମୋବାଇଲ ଫ୍ଲାସଲାଇଟ୍ ଅନ୍ କରି ମଧ୍ୟ ବିରୋଧ ପ୍ରକଟ କରୁଛନ୍ତି।

ତାଳି ମାରି,ଥାଳି ପିଟି ଲୋକ ଜଣାଇବାକୁ ଚାହୁଁଛନ୍ତି ଯେ, ସେମାନେ ସେନାର କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟ ନୁହଁନ୍ତି। ଏସବୁ ଭିତରେ ମିଆଁମାର ଘଟଣାକ୍ରମକୁ ଜାତିସଂଘ ନିନ୍ଦା କରିଛି । ଆମେରିକା ମଧ୍ୟ ବିଦ୍ରୋହ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି। ଏବେ ମିଆଁମାରର ମିଲିଟାରି ଜୁନ୍ତା କାନରେ ନିଜ ଲୋକଙ୍କ ଥାଳି ପିଟା ଶବ୍ଦ ଓ ଜାତିସଂଘର ନିନ୍ଦା ପ୍ରସ୍ତାବ ପଡୁଛି କି ନାହିଁ ତାହା ସମୟ କହିବ।

Leave a Reply