ଭାଇରାଲ୍ ଭିଡ଼ିଓ ପରେ କ୍ଷମା ମାଗିଲେ ଭେଟେରାନ୍ ଅଭିନେତା ନାନା ପାଟେକର, ଜାଣନ୍ତୁ କ‘ଣ ଥିଲା ଘଟଣା?

ନୂଆଦିଲ୍ଲୀ: ନିକଟରେ ବଲିଉଡର ଭେଟେରାନ ଅଭିନେତା ନାନା ପାଟେକର ଜଣେ ଯୁବକଙ୍କୁ ଚାପୁଡା ମାରୁଥିବାର ଭିଡ଼ିଓ ଭାଇରାଲ୍ ହୋଇଛି। ଯାହା ପରେ ସେ ଏକ ଭିଡ଼ିଓ କରି ଘଟଣା ସମ୍ପର୍କରେ ସଫେଇ ଦେବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।

ସୂଚନା ଅନୁଯାୟୀ, ବର୍ତ୍ତମାନ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ଫିଲ୍ମ ‘ଜର୍ଣ୍ଣି’ର ସୁଟିଂ ବାରାଣାସୀରେ ଚାଲିଛି। ଯେଉଁଥିରେ ନାନା ପାଟେକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କୁହାଯାଇଥିଲା, ଜଣେ ବାଳକ ନାନାଙ୍କ ସହ ସେଲଫି ନେବାକୁ ଆସିଥିଲା ବେଳେ ଅଚାନକ ଅଭିନେତା ତାଙ୍କୁ ଚାପୁଡ଼ା ମାରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଖୁବ୍ ଟ୍ରୋଲ୍ କରିଛନ୍ତି ନେଟିଜେନ୍ସ। ଯାହା ପରେ  ନାନା ପାଟେକର ଏହି ଘଟଣାରେ ସ୍ପଷ୍ଟୀକରଣ ଦେବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।

ନାନା ପାଟେକର ନିଜେ ଏକ ଭିଡିଓ ଜାରି କରି ସୁଟିଂ ସେଟରେ ପ୍ରକୃତରେ କ’ଣ ଘଟିଥିଲା ସେନେଇ ପ୍ରକାଶ କରିଛନ୍ତି।  ଏହି ଭିଡିଓରେ ନାନା କହିଛନ୍ତି,  ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁଁ ଏକ ଯୁବକଙ୍କୁ ଚାପୁଡା ମାରିଛି। ଯଦିଓ ଏହି ସିନ୍ ଆମ ଚଳଚ୍ଚିତ୍ରର ଏକ ଅଂଶବିଶେଷ । ଏହି ଘଟଣା ପୂର୍ବରୁ ଆମେ ଏକ ରିହର୍ସଲ୍ କରିଥିଲୁ, ଯେଉଁଥିରେ ମୁଁ ଟୋପି ପିନ୍ଧି ଛିଡା ହୋଇଥାଏ ଏବଂ ଜଣେ ଯୁବକ ମୋତେ କମେଣ୍ଟ ମାରିବା ସହ ଏ ବୁଢା ଟୋପି ବିକ୍ରି କରିବୁ କି ପଚାରୁଛି। ଯାହାପରେ ମୁଁ ତାକୁ ପିଟିବାସହ ଏମିତି ବଦମାସି  କରନି ବୋଲି କହୁଥାଏ । ଏହିଭଳି ଆମର ପ୍ରଥମ ରିହର୍ସଲ ସରିଯାଇଥିବା ବେଳେ ନିର୍ଦ୍ଦେଶକ ପୁଣିଥରେ ରିହର୍ସଲ କରିବାକୁ କହିଥିଲେ।

ଦୁର୍ଭାଗ୍ୟବଶତଃ ଠିକ୍ ସେହି ସମୟରେ ସମ୍ପୃକ୍ତ ଯୁବକ ସେଲଫି ନେବାକୁ ଆସିଥିଲେ। ଆଉ ମୁଁ ତାଙ୍କୁ ଟିମ୍ ମେମ୍ବର ଭାବି ଆକ୍ସନ ଆରମ୍ଭ କରିଥିଲି । ହେଲେ ମୋତେ ଜଣାନଥିଲା ଯେ ସେ ଆମ ଟିମ୍ ମେମ୍ବର ନୁହେଁ ବୋଲି, ନଚେତ୍ ମୁଁ ଏଭଳି କରିନଥାନ୍ତି।

ଚାପୁଡ଼ା ମାରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆମର ଟିମ୍ ମେମ୍ବର ନୁହଁନ୍ତି। ଘଟଣା ଜାଣିବା ପରେ ଆମେ ତାଙ୍କୁ ଖୋଜିଥିଲେ ବି ପାଇଲୁନି । ଯଦିଓ ଏହା ଏକ ଭୁଲ ବୁଝାମଣା । ଦୟାକରି ଆମକୁ କ୍ଷମା କରନ୍ତୁ| ମୋ ସହ ବହୁ ଲୋକ ଫଟୋ ଉଠେଇଛନ୍ତି, ମୁଁ କେବେବି ଏମିତି ବ୍ୟବହାର କାହାସହ କରିନି ବୋଲି କହିଛନ୍ତି ଅଭିନେତା ।