ବଡ଼ଦାଣ୍ଡରେ ଗଡ଼ିଲା ମହାପ୍ରଭୁଙ୍କ ନନ୍ଦିଘୋଷ

ପୁରୀ: ଗୁଣ୍ଡିଚା ଯାତ୍ରାର ଅନ୍ତିମ ପର୍ବ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ୁଛନ୍ତି ତିନି ଠାକୁର । ପ୍ରଥମେ ବଡ଼ ଠାକୁର ବଳଭଦ୍ର ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହୋଇଥିଲା । ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡରେ ତିନି ଠାକୁରଙ୍କ ତିନି ରଥ ଗଡ଼ି ଚାଲିଛି ।

ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା । ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।