ନନ୍ଦିଘୋଷ ଟିଭି ପ୍ରଭାବ, ଯୋଗ ଶିକ୍ଷକ ନିଯୁକ୍ତିରେ ଅନିୟମିତା ନେଇ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର: ନନ୍ଦିଘୋଷ ଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ଜିଲ୍ଲାରେ ବିଭିନ୍ନ ମେଡ଼ିକାଲ ଓ ସ୍କୁଲମାନଙ୍କରେ ନିଯୁକ୍ତି ପାଇବାକୁ ଥିବା ଯୋଗଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଏଥିସହିତ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ଯାଞ୍ଚ ପାଇଁ ପଠାଯାଇଛି । ଉଭୟ ଅନୁଷ୍ଠାନରୁ ସ୍ପଷ୍ଟିକରଣ ମିଳିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟମାନଙ୍କରେ ଯୋଗ ଶିକ୍ଷକ ନିଯୁକ୍ତି ପାଇଁ ପ୍ରଶାସନିକ ସ୍ଥରରେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିରେ ଆବେଦନକାରୀ ଛାତ୍ରଛାତ୍ରୀମାନେ ଯୋଗ ସମ୍ପର୍କିତ ଜାଲ୍‌ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା । ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଯୋଗାଇଥିବା ‘ହେଲଦି ଲାଇଫ୍‌ ଯୋଗ’ ଶିକ୍ଷାନୁଷ୍ଠାନର ପରିଚାଳକ ଏହି ଅନିୟମିତତାକୁ ସ୍ୱୀକାର କରିଥିଲେ । ସେହିପରି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆଦାୟ କରାଯାଇଥିବା ଟଙ୍କା ମଧ୍ୟ ସେମାନଙ୍କୁ ଫେରାଇ ଦେବାକୁ କହିଥିଲେ । ଏହି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯିବା ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି ।

Leave a Reply